ଭୁବନେଶ୍ବର: ସାଧାରଣ ନିର୍ବାଚନରେ ବିଜେଡି ଧରାଶାୟୀ ହୋଇଥିବା ବେଳେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି । ପ୍ରାୟ ସବୁ ନିର୍ବାଚନରେ ୧୦୦ ପାର କରୁଥିବା ବିଜେଡି ଏଥର ୫୧ ଆସନରେ ସିମିତ ରହିଛି । ଏପରିକି ୨୧ରୁ ୨୦ ଲୋକସଭା ଆସନ ପୋଛି ନେଇଛି ବିଜେପି । ବିଜେଡିର ଏହି ଦୟନୀୟ ସ୍ଥିତି ଭିତରେ ବରୀ ବିଧାୟକ ପ୍ରାର୍ଥୀଙ୍କ ବିଜୟ କିଛିଟା ଆଶ୍ବସ୍ତି ଦେଇଥିବ ଦଳକୁ । କାରଣ ବରୀ ବିଧାୟକ ପ୍ରାର୍ଥୀ ୫୧ ହଜାରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।
ସାରା ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଅଧିକାଂଶ ଆସନରେ ଜୟ, ପରାଜୟ ମଧ୍ୟରେ ବ୍ୟବଧାନ ୫ରୁ ୩ ହଜାର ମଧ୍ୟରେ ରହିଥିଲା । ଏପରିକି ବହୁ ଆସନରେ ହାରଜିତ ମଧ୍ୟରେ ବ୍ୟବଧାନ ହଜାରେରୁ ଦୁଇ ହଜାର ମଧ୍ୟ ଦେଖିବାକୁ ମିଳିଛି । ହେଲେ ବିଜେଡିର ବରୀ ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଉମେଶ ଜେନାଙ୍କୁ ୫୧ ହଜାର ୪୬୫ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।
୨୦୧୯ରେ ବିଶ୍ବରଞ୍ଜନ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ଏହି ନିର୍ବାଚନରେ ସେ ୬୮ ହଜାର ୪୯୭ ହଜାରରୁ ଅଧିକ ଭୋଟ ପାଇଥିଲେ । ତାଙ୍କୁ ବିଜେଡି ପ୍ରାର୍ଥୀଙ୍କ ପାଖରୁ ପରାଜୟ ବରଣ କରିବାକୁ ପଡିଥିଲା । ହେଲେ ସେ ଆଜି ରାଜ୍ୟରେ ସର୍ବାଧିକ ବ୍ୟବଧାନରେ ଜିତିବାର ଗୌରବ ଅର୍ଜନ କରିଛନ୍ତି ।
ବିଶ୍ଵରଞ୍ଜନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ଏ ବିଜୟ ମୋର ନୁହେଁ, ବରୀବାସୀ ଓ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଆଗାମୀ ଦିନରେ ବରୀ ନିର୍ବାଚନ ମଣ୍ଡଳୀର ସ୍ଵାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ସାଧାରଣ ଲୋକଙ୍କ ନିକଟତର ହୋଇ ସେମାନଙ୍କ ମୌଳିକ ସମାସ୍ୟର ସମାଧାନ କ୍ଷେତ୍ରରେ ଉଦ୍ୟମ ଜାରି ରଖିବି ।’
ବରୀ ବିଜେଡି ପ୍ରାର୍ଥୀ ବିଶ୍ବରଞ୍ଜନ, ୫୧ ହଜାରରୁ ଅଧିକ ଭୋଟରେ ଜିତି ଚର୍ଚ୍ଚାରେ
