ଆଜିଠାରୁ ମୋଦିଙ୍କ 3.O ଶାସନ ଆରମ୍ଭ, ସନ୍ଧ୍ୟାରେ ଶପଥ


ନୂଆଦିଲ୍ଲୀ: ଆଜିଠାରୁ ଏନଡିଏ ସରକାରର ତୃତୀୟ ପାଳି ଆରମ୍ଭ । ଏହାସହ ନରେନ୍ଦ୍ର ମୋଦି ମଧ୍ୟ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦିରେ ବସିବାକୁ ଯାଉଛନ୍ତି । ଆଜି ସନ୍ଧ୍ୟାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଆରମ୍ଭ ହୋଇଯିବ ତାଙ୍କୁ ତୃତୀୟ ପାଳି ଶାସନ । ରାଷ୍ଟ୍ରପତି ଭବନରେ ହେବ ଶପଥ ଗ୍ରହଣ ସମାରୋହ । ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ଆଉ ଜଣେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ମୋଦିଙ୍କ ପୂର୍ବରୁ ଜବାହରଲାଲ ନେହରୁ ଏକମାତ୍ର ନେତା ଥିଲେ ଯିଏ କି ଏହି ସଫଳତା ପାଇଥିଲେ ।

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରାଇସିନା ହିଲରେ ଭବ୍ୟ ଆୟୋଜନ ହୋଇଛି । ସନ୍ଧ୍ୟା ୭ଟା ୧୫ରେ ମୋଦି ଶପଥ ନେବେ । ମୋଦିଙ୍କୁ ୨୦୧୪ରେ ପ୍ରଣବ ମୁଖାର୍ଜୀ ଓ ୨୦୧୯ରେ ରାମନାଥ କୋବିନ୍ଦ ଶପଥ ପାଠ କରାଇଥିବା ବେଳେ, ଏଥର ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଥିବା ବେଳେ, ତାଙ୍କ ସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ । ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କ୍ୟାବିନେଟର ରୂପରେଖ କ’ଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଚର୍ଚ୍ଚା ଯେ, ମୋଦିଙ୍କ ସହ ପ୍ରାୟ ୫୨ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ଏଥିରେ ୧୯ରୁ ୨୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୩୩ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିପାରନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଟିଡିପି, ଜେଡିୟୁ, ଏଲଜେପି, ଆରଏଲଡି, ଜନସେନା, ଜେଡିଏସ ଓ ଅପନା ଦଳ ଏନଡିଏର ସହଯୋଗୀ ଭାବେ ସରକାରରେ ସାମିଲ ହୋଇପାରନ୍ତି । ଚର୍ଚ୍ଚା ଏହା ବି ଯେ, ଟିଡିପିକୁ ଗୋଟିଏ କ୍ୟାବିନେଟ, ଦୁଇଟି ରାଷ୍ଟ୍ରମନ୍ତ୍ରୀ, ଜେଡିୟୁକୁ ଗୋଟିଏ କ୍ୟାବିନେଟ, ଶିବସେନା (ସିନ୍ଧେ), ଏଲଜେପି, ଆରଏଲଡି ଏବଂ ଏନସିପି (ଅଜିତ)କୁ ଗୋଟିଏ ମନ୍ତ୍ରୀ ପଦ ଦେଇ ସରକାରରେ ସାମିଲ କରାଯାଇପାରେ ।

ଶପଥ ଉତ୍ସବରେ ସାମିଲ ହେବେ ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତାଙ୍କ ସମେତ ପ୍ରାୟ ୮ ହଜାର ଅତିଥି । ପଡ଼ୋଶୀ ପ୍ରଥମ ନୀତିକୁ ଆଧାର କରି ସେମାନଙ୍କୁ ନିମନ୍ତ୍ରଣ ପଠାଇଛି ବୈଦେଶିକ ମନ୍ତ୍ରାଳୟ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ କିଛି ଅତିଥି ଦିଲ୍ଲୀରେ ପହଞ୍ଚିଛନ୍ତି । ଶ୍ରୀଲଙ୍କା ଓ ମାଳଦ୍ୱୀପର ରାଷ୍ଟ୍ରପତି, ସିସେଲ୍ସ ଉପରାଷ୍ଟ୍ରପତି ଏବଂ ବାଂଲାଦେଶ, ମରିସସ୍, ନେପାଳ ଓ ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି ।

ଅନ୍ୟ ଅତିଥିଙ୍କ ମଧ୍ୟରେ ଅଛନ୍ତି- ବିଶିଷ୍ଟ ନେତା, କଳାକାର, ଶିଳ୍ପପତି, ସିନେ ସେଲିବ୍ରିଟି, ମନ କୀ ବାତ୍ ଅଂଶଗ୍ରହଣକାରୀ, ପଦ୍ମ ଆୱାର୍ଡି ଓ ଧର୍ମଗୁରୁ ପ୍ରମୁଖ ଅଛନ୍ତି । ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ସାମିଲ ହେବେ । ଶପଥ ସମାରୋହ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆହୂତ ନୈଶଭୋଜିରେ ମଧ୍ୟ ସାମିଲ ହେବେ ଅତିଥି ।

ଆଜିର ସମାରୋହ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଛି ରାଜଧାନୀ ଦିଲ୍ଲୀ । ସିସିଟିଭି ନଜରରେ ରହିଛି କର୍ତ୍ତବ୍ୟପଥ । ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ, ଦିଲ୍ଲୀ NCRକୁ ଦୁଇ ଦିନ ପାଇଁ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି । କର୍ତ୍ତବ୍ୟପଥକୁ ଲାଗିଥିବା କେତେକ ରୋଡରେ ୧୪୪ ଧାରା ଜାରି ହୋଇଛି । ରାଷ୍ଟ୍ରପତି ଭବନକୁ ଜଗିଛନ୍ତି ୫ sମ୍ପାନୀ ପାରାମିଲିଟାରୀ ପର୍ସନେଲ୍, ଏନ୍ଏସ୍‌ଜି କମାଣ୍ଡୋ, ଡ୍ରୋନ୍ ଓ ସ୍ନାଇପର୍ ।