ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା, ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା


ପୁରୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା । ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ୱାର । ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଇଚ୍ଛା ଶେଷରେ ପୂରଣ ହେଲା । ଗୁରୁବାର ସକାଳେ ମଙ୍ଗଳ ଆଳତି ସରିବା ମାତ୍ରେ ଶ୍ରୀମନ୍ଦିରର ସିଂହ ଦ୍ୱାର ସମେତ ଅନ୍ୟ ତିନି ଦ୍ୱାର ପଶ୍ଚିମ ଦ୍ୱାର, ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର ଭକ୍ତଙ୍କ ପାଇଁ ଖୋଲି ଦିଆଯାଇଛି, ଯାହା ଦୀର୍ଘ ପାଖାପାଖି ଚାରି ବର୍ଷ ଧରି ବନ୍ଦ ରହିଥିଲା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ନୂତନ ମନ୍ତ୍ରି ପରିଷଦଙ୍କ ଉପସ୍ଥିତିରେ ଚାରି ଦ୍ୱାର ଖୋଲା ଯାଇଛି । ଆଉ ବିନା ବାଧାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ବିଜେପି ସରକାର ଆସିଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ୪ ଦ୍ୱାର ଖୋଲିଛି । ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରିଥିଲୁ । ଶୃଙ୍ଖଳିତ ଦର୍ଶନ ପାଇଁ ଯାହା ପଦକ୍ଷେପ ସବୁ ନିଆଯିବ ।

ସୂଚନାଯୋଗ୍ୟ, ଚାରି ଦ୍ୱାର ଖୋଲିବା ନେଇ ଗତକାଲି ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା । ବିଜେପି ନିର୍ବାଚନ ସମୟରେ ନିଜର ନିର୍ବାଚନ ଇସ୍ତାହାରରେ ମଧ୍ୟ ଏହାର ପ୍ରତିଶ୍ରୁତି ଦେଇଥିଲା, ଯାହାକୁ ମୋହନ ମାଝୀଙ୍କ ସରକାର ଶପଥ ନେବାର ତିନି ଘଣ୍ଟା ଭିତରେ ପୂରଣ କରିଛନ୍ତି ।

ଉଲ୍ଲେଖନୀୟ କୋଭିଡ୍ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲା ଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା । କରୋନା ପ୍ରକୋପ କମିବାରୁ ଗୋଟିଏ ଦ୍ୱାର ଖୋଲା ଯାଇଥିଲା । ଆଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପରେ ୨୦୨୨ ଫେବୃଆରୀ ୩ ତାରିଖରେ କେବଳ ସିଂହ ଦ୍ୱାର ଦେଇ ଭକ୍ତ ପ୍ରବେଶ କରିବା ନେଇ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ।

ପରିକ୍ରମା ପ୍ରକଳ୍ପ ଆଳରେ ୩ବର୍ଷ ଧରି ପୂର୍ବତନ ରାଜ୍ୟ ସରକାର ଭକ୍ତଙ୍କ ପାଇଁ ୪ ଦ୍ୱାର ପ୍ରବେଶ ବନ୍ଦ ରଖିଥିଲେ। ୨୦୨୪ ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ବି ଖୋଲି ନଥିଲା ସବୁ ଦ୍ୱାର। ଏହାକୁ ନେଇ ପୁରୀ ବାସିନ୍ଦାଙ୍କଠୁ ନେଇ ଅନେକ ସଂଗଠନ ଚାରି ଦ୍ୱାରା ଖୋଲିବା ନେଇ ଆନ୍ଦୋଳନ କରିଥିଲେ । ଆଉ ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଆଜି ଭକ୍ତଙ୍କ ପାଇଁ ଚାରି ଦ୍ୱାର ଖୋଲା ଯାଇଛି ।