ଭୁବନେଶ୍ବରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମରଶରୀର


ଭୁବନେଶ୍ବର: କୁଏତରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଛି । ମୃତକ ଦ୍ବୟ ହେଲେ ମହମ୍ମଦ ଜହୁର ଏବଂ ସନ୍ତୋଷ ଗୌଡ଼ । ଆଜି ସକାଳେ ଭୁବନେଶ୍ବର ବିମାନବନ୍ଦରରେ ସେମାନଙ୍କ ମରଶରୀର ପହଞ୍ଚିଛି ।

ମୃତଦେହ ବିମାନବନ୍ଦରରେ ପହଞ୍ଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡାଙ୍କ ସମେତ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୃତକଙ୍କ ପରିବାର ଲୋକ ବି ଏୟାରପୋର୍ଟରେ ପହଞ୍ଚିଛି । ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ମୃତଦେହକୁ ସେମାନଙ୍କ ଜନ୍ମମାଟିକୁ ପଠାଯାଇଛି ।

ଦୁଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏଥିନିମନ୍ତେ ଅର୍ଥ ମଞ୍ଜୁର ହୋଇଥିବା ନେଇ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 

ମୃତ ମହମ୍ମଦ ଜହୁରଙ୍କ ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁରେ ହୋଇଥିବା ବେଳେ ସନ୍ତୋଷ ଗୌଡଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁରେ । ଜହୁର କୁଏତରେ ୨୦୧୭ ମସିହାରୁ ଲାବରୋଟାରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପତ୍ନୀ ୭ ମାସର ଗର୍ଭବତୀ ଥିବା ବେଳେ ଖୁବ୍‌ ଶୀଘ୍ର ଫେରି ଆସିବାକୁ ପତ୍ନୀଙ୍କୁ କଥା ଦେଇଥିଲେ। ସନ୍ତୋଷ ଗୌଡ଼ ଦୁଇ ବର୍ଷ ପୂର୍ବେ କୁଏତ ଯାଇଥିଲେ । ଗତ ମାର୍ଚ୍ଚ ମାସରେ ତାଙ୍କର ବାପାଙ୍କ ହାର୍ଟ ଅପରେସନ ପାଇଁ ନିଜ ଘରକୁ ଆସିଥିଲେ । ଏପ୍ରିଲ ମାସରେ ପୁଣି କୁଏତ ଫେରିଯାଇଥିଲେ । ଉଭୟଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ଦୁଇ ପରିବାର । ଆଖି ଆଗରେ ପୁଅ ଚାଲି ଯିବା ଘଟଣାକୁ ବୁଢ଼ା ବାପାମାଆ ବିଶ୍ୱାସ କରି ପାରୁ ନଥିବା ବେଳେ ଆଖିରୁ ବୋହି ଚାଲିଛି ଅମାନିଆ ଲୁହ । ହସଖୁସିରେ ଘରୁ ଗୋଡ଼ କାଢ଼ି ଯାଇଥିବା ପୁଅ ଯେ ଏବେ ମୃତଦେହ ହୋଇ ଫେରିବ ସେ କଥା ଭାବିବା ବେଳକୁ ସେମାନଙ୍କ ଛାତି ଫାଟି ପଡ଼ୁଛି । ତଥାପି ଜୀବନ୍ତ ଅବସ୍ଥାରେ ନ ହେଲେ ବି ମର ଶରୀର ହୋଇ ଫେରୁଥିବା ପୁଅର ବାଟକୁ ଅନାଇ ବସିଛନ୍ତି ପରିବାର ।

ଗତ ବୁଧବାର କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଏକ ୬ ମହଲା ବିଲ୍ଡିଂରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ପ୍ରାୟ ୪୯ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣ ଭାରତୀୟ ଥିଲେ । ୪୫ ଭାରତୀୟଙ୍କ ମୃତଦେହ ଧରି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଗତକାଲି କୋଚିରେ ପହଞ୍ଚିଥିଲା । ସେଠାରୁ ବିମାନଟି ନୂଆ ଦିଲ୍ଲୀ ଚାଲି ଯାଇଥିଲା । ସେଠାରୁ ୨ ଓଡ଼ିଆଙ୍କ ମୃତଦେହ ଧରି ଏକ ସ୍ୱତନ୍ତ୍ର ବିମାନ ଆଜି ଭୁବନେଶ୍ୱରରେ ପହଞ୍ଚିଛି ।