ନୂଆଦିଲ୍ଲୀ: ଫାଟିଲା ଆପ୍ ଓ କଂଗ୍ରେସ ସମ୍ପର୍କ । କାଲି ଯାଏଁ ଏକାଠି ଥିଲେ । ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେବେ ନିର୍ବାଚନ ସରୁ ସରୁ ଏବେ ପୁଣି ପରସ୍ପରର ହୋଇପଡିଛନ୍ତି ବିରୋଧୀ । ଲୋକସଭା ନିର୍ବାଚନରେ ପରାଜୟ ପରେ ବିଧାନସଭାରେ ଉଭୟ ଦଳ ଅଲଗା ଅଲଗା ହୋଇ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ଦିଲ୍ଲୀ ଜଳ ସଙ୍କଟକୁ ନେଇ ଆପ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।
ପାଣି ପାଇଁ ଡହଳ ବିକଳ ହେଉଛନ୍ତି ରାଜଧାନୀବାସୀ । ଏହାକୁ ନେଇ ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରେ କଂଗ୍ରେସ ଆପ୍ ସରକାର ବିରୋଧରେ ‘ମଟ୍କା ଫୋଡ୍’ ପ୍ରଦର୍ଶନ କରିଛି । ପାଣିର ଅପଚୟ ଓ ଜଳ ସଙ୍କଟ ପାଇଁ କଂଗ୍ରେସ ସିଧାସଳଖ କେଜ୍ରିଓ୍ୱାଲ ସରକାରଙ୍କୁ ଦାୟୀ କରିଛି । ସେପଟେ ବିଜେପି ମଧ୍ୟ ଆପ୍ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି । କେଜ୍ରିଓ୍ୱାଲ ସରକାର ପାଣି ସମସ୍ୟାକୁ ସମାଧାନ କରିବାରେ ବିଫଳ ହୋଇଥିବା ପ୍ରମାଣିତ ହୋଇଛି ବୋଲି ବିଜେପି କହିଛି ।
କିଛିଦିନ ହେବ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି । ଫଳରେ ଅନେକ ଅଞ୍ଚଳରେ ଜଳ ଅଭାବ ଦେଖାଦେଇଛି । ଏଥିପାଇଁ ଅନେକ ଅଞ୍ଚଳରେ ଟ୍ୟାଙ୍କର୍ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି । କିନ୍ତୁ ଟ୍ୟାଙ୍କର୍ ଠିକ୍ ସମୟରେ ପହଞ୍ଚୁ ନଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।