ପୁଣି ଭେଡେନ ଅଞ୍ଚଳରେ ଜଘନ୍ୟ ଗଣହତ୍ୟା, ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା


ଅତାବିରା -ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡ଼େନ ଥାନା ଅଞ୍ଚଳରେ ପୁଣି ଗଣହତ୍ୟା ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି l ଗତବର୍ଷ ଅକ୍ଟୋବର ୩୦ ତାରିଖ ଦିନ ଏହି ଥାନାର ଜାଣ୍ଡୋଲ ଗାଁରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ଗଳିତ ଶବ ଘର ଭିତରୁ ଉଦ୍ଧାର ହୋଇଥିଲା। ପୁଲିସ୍‌ ଏହି ମାମଲା ଉପରୁ ପରଦା ଉଠାଇ ନଥିବା ବେଳେ ଏବେ ପୁଣି ଏକ ଗଣହତ୍ୟା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଭେଡ଼େନ୍‌ ଥାନା ଋଷୁଡ଼ା ଫାଣ୍ଡି ପପଙ୍ଗା ପଞ୍ଚାୟତର ଆଖିଫୁଟା ଗାଁରେ ଏହି ଘଟଣା ଘଟିଥିବା ବେଳେ ଗୋଟିଏ ପରିବାରର ୩ ଜଣଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ସୂଚନା ମୁତାବକ, ମୃତ ୩ ଜଣ ହେଲେ, ଟଙ୍କଧର ସାହୁ (୭୦ବର୍ଷ) ଏବଂ ତାଙ୍କ ଦୁଇ ସ୍ତ୍ରୀ ଦ୍ରୌପଦୀ ସାହୁ (୬୦ବର୍ଷ) ଓ ମାଧବୀ ସାହୁ(୪୫ବର୍ଷ)। ସବୁଦିନ ଭଳି ମଙ୍ଗଳବାର ମଧ୍ୟ ଟଙ୍କଧରଙ୍କ ଘର ସମ୍ମୁଖ ଦେଇ ଲୋକେ ସ୍ବାଭାବିକ ଭାବେ ଯିବାଆସିବା କରୁଥିଲେ। କିନ୍ତୁ, ଯା’ଆସଭିତରେ ଟଙ୍କଧରଙ୍କ ଘରଆଡ଼କୁ କାହାରି ନଜର ନଥିଲା। ମାତ୍ର, ଦିନ ୧୨ଟା ବେଳକୁ ଟଙ୍କଧରଙ୍କ ଘର ସମ୍ମୁଖରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ। ଏବଂ, ଘରୁ କେହି ବାହାରି ନଥିଲେ। କିଛି ଅଘଟଣ ଆଶଙ୍କା କରି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ବରଗଡ଼ ଏସ୍‌ଡିପିଓ ଅମ୍ରିତ ପଣ୍ଡାଙ୍କ ସମେତ ପୁଲିସ୍‌ ଫୋର୍ସ ପହଞ୍ଚିଥିଲେ। ଘର କବାଟ ଭାଙ୍ଗି ଭିତରକୁ ପଶିଲା ବେଳକୁ ୩ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଟଙ୍କଧରଙ୍କ ଦୁଇ ସ୍ତ୍ରୀଙ୍କ ମୃତଦେହ ବାରଣ୍ଡାରେ ପଡ଼ିଥିଲା। ଭିତରେ ଟଙ୍କଧରଙ୍କ ଶବ ପଡ଼ି ରହିଥିଲା। ସମସ୍ତଙ୍କ ମୁଣ୍ଡରେ କ୍ଷତ ଥିବା ବେଳେ ରକ୍ତଛିଟା ଘରସାରା ପଡ଼ିଥିବା ଦେଖିବାକୁ ମିଳିଥିଲା। ଘର ପଛପଟ କବାଟ ଖୋଲା ରହିଥିଲା। ହତ୍ୟାକାରୀ ପଛପଟୁ ଆସି ଏଭଳି କାଣ୍ଡ ଭିଆଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ଟଙ୍କଧରଙ୍କ ପ୍ରଥମ ସ୍ତ୍ରୀ ଦ୍ରୌପଦୀଙ୍କ ପିଲାଛୁଆ ନହେବାରୁ ସେ ମାଧବୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତେବେ ମାଧବୀଙ୍କୁ ପିଲାଛୁଆ ହୋଇନଥିଲା। ତଥାପି ସେମାନେ ସମସ୍ତେ ଗୋଟିଏ ଘରେ ହସଖୁସିରେ ରହୁଥିଲେ। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଆସି ତନଘନା କରିଛି। ଗତକାଲି ରାତ୍ରୀ ୮ ଟାରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତନାଘନା ଯାଞ୍ଜ କରିଛନ୍ତି l ତେବେ ଘର ଭିତରେ କିଛି ବାକ୍ସ ଭଙ୍ଗା ଯାଇଥିବା ନଜରକୁ ଆସିଛି। ଭେଡେନ ପୁଲିସ୍‌ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା ଜାରି ରଖିଛି।