ଅନ୍ତର୍ଜାତୀୟ ଯୋଗ ଦିବସ: ଶ୍ରୀନଗରରେ ପ୍ରଧାନମନ୍ତ୍ରୀ, କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ଜୁନ ୨୧ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସାରା ବିଶ୍ୱରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ । କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀନଗରର ଶେର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ୍ ସେଣ୍ଟରରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଯୋଗ ଦିବସ ସକାଳ ୬ଟା ୪୦ ବେଳେ ଦେଶ ଓ ଦୁନିଆକୁ ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ । ପାଖାପାଖି ୨୦ ମିନିଟର ଅଭିଭାଷଣ ପରେ ସାମୂହିକ ଯୋଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଖାପାଖି ୭ ହଜାର ଲୋକ ସାମିଲ ହୋଇଥିଲେ । ଚଳିତବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ ‘ସ୍ୱୟଂ ଓ ସମାଜ ପାଇଁ ଯୋଗ’ ରଖାଯାଇଛି ।

ସେହିପରି ଓଡ଼ିଶାରେ ମଧ୍ୟ ଆଜି ଅନ୍ତର୍ଜାତୀୟ ଯୋଗ ଦିବସର ଆୟୋଜନ ହେଉଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ । ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନୟାପଲ୍ଲୀର କସ୍ତରୁବା ସ୍କୁଲ ଫିଲ୍ଡ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀ ସାଂସଦ ସମ୍ବିତ ପାତ୍ର କୋଣାର୍କରେ ହେବାକୁ ଥିବା ଉତ୍ସବରେ ସାମିଲ ହୋଇଥିଲେ । ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ସାଂସଦ ଏବଂ ବିଧାୟକମାନେ ମଧ୍ୟ ଯୋଗ ସମାରୋହରେ ଯୋଗ ଦେଇଛନ୍ତି ।