ଭୁବନେଶ୍ବର: ୧୨ ବର୍ଷ ପରେ ଓଡ଼ିଶାରେ ପୁଣି ଚିହ୍ନଟ ହୋଇଛି ଜାପାନିଜ୍ ଏନସେଫାଲିଟିସ୍ ରୋଗ । ୨୦୧୨ ମସିହାରେ ସାରା ରାଜ୍ୟରେ ଆତଙ୍କ ଖେଳାଇଥିବା ଏହି ରୋଗ ମାଲକାନଗିରିରେ ନେଇଥିଲା ୨୪ ଜଣ ଶିଶୁଙ୍କ ଜୀବନ । ଏବେ ପୁଣି ଏହି ରୋଗ ଅନୁଗୁଳରେ ଚିହ୍ନ କରାଯାଇଛି । ଅନୁଗୁଳ ଜିଲ୍ଲାର ୪ ଜଣ ଏହି ରୋଗରେ ପୀଡ଼ିତ ଥିବା ଜଣାପଡିଛି ।
ରିପୋର୍ଟ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ତନାଘନା ଆରମ୍ଭ କରିଦେଇଛି । ଅନୁଗୁଳରେ କେଉଁ ପରିସ୍ଥିତିରେ ଜାପାନିଜ୍ ଏନସେଫାଲିଟିସ୍ ବା ଜେଇ ବ୍ୟାପିଲା ? ଏହାର ପ୍ରକୃତ କାରଣ କ’ଣ, ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗର ଏକ ଚାରି ଜଣିଆ ଟିମ୍ ଅନୁଗୁଳ ଗସ୍ତରେ ଯାଇଛନ୍ତି ।
ଜିଲ୍ଲାରେ ମ୍ୟାଲେରିଆଠାରୁ ଆରମ୍ଭ କରି ଜେଇ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ଏହି ଟିମ୍ । ତେବେ ଏହି ରୋଗ ଘୁଷୁରୀଠାରୁ ବ୍ୟାପିଥିବା ଆଶଙ୍କା କରାଯାଉଛି । ଏହି ରୋଗ ପାଇଁ ଟୀକାକରଣ ହେଉଥିବାରୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାନନ୍ଦ ମହାନ୍ତି କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୨ରେ ମାଲକାନଗିରିରେ ଜେଇ ଆତଙ୍କ ସୃଷ୍ଟି କରିଥିଲା । ସେଠାରେ ୨୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହାବ୍ୟତୀତ ଦୁଇ ଶହରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଆରଏମଆରସି ପକ୍ଷରୁ ଏହାର କାରଣ ଖୋଜା ଯାଇଥିଲା । ମଶା କାମୁଡ଼ାରୁ ଏହି ରୋଗ ହେଉଥିବା ଜଣାପଡ଼ିବା ପରେ ଟୀକା ଦିଆଯାଇଥିଲା ।