ପୁରୀ: ସ୍ନାନବେଦୀରୁ କାଳିଆ ସାଆନ୍ତଙ୍କ ହାତୀ ବେଶ ଦେଖି ଭକ୍ତ ବିଭୋର । ବର୍ଷାରେ ଭିଜି ଭିଜି ଦେବସ୍ନାନ ପୂର୍ଣମୀ ତଥା ଶ୍ରୀଜଗନ୍ନାଥଙ୍କ ଜନ୍ମ ତିଥିରେ ଦୁର୍ଲ୍ଲଭ ହାତୀବେଶ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭକ୍ତଙ୍କ ଗହଳି ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା ।
ଜଗନ୍ନାଥମୟ ସାରା ଶ୍ରୀକ୍ଷେତ୍ର । ମଣିମାଙ୍କୁ ଦର୍ଶନ ପାଇଁ ଛୁଟିଛି ରାଜ୍ଯ ତଥା ରାଜ୍ଯ ବାହାର ଭକ୍ତଙ୍କ ସୁଅ । ଜ୍ୟେଷ୍ଠ ପୂର୍ଣ୍ଣମୀରେ ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ମହାବାହୁ । ଡୋର ଲାଗି, ପୁଷ୍ପାଞ୍ଜଳି ପରେ ଆରମ୍ଭ ହୋଇଥିଲା ପହଣ୍ଡି । ପହଣ୍ଡି ବେଳେ ଅଝଟିଆ କାଳିଆ ପାଇଁ ସାମାନ୍ୟ ବିଳମ୍ବ ହୋଇଥିଲା ନୀତି । ରୁନ୍ଧା ଶେଷ ପରେ ମଦନମୋହନ ବିଜେ ହୋଇ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ ନୀତି ହୋଇଥିଲା । ପରେ ଜଳଲାଗି କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କୁ ୩୫ ଗରା, ଶ୍ରୀବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର । ସ୍ନାନ ବେଦୀରେ କାଳିଆ ସାଆନ୍ତଙ୍କ ଦିବ୍ୟ ସ୍ନାନ ନୀତି ଦେଖି ଭାବବିହ୍ବଳ ହୋଇପଡିଥିଲେ ଭକ୍ତ ।
ବର୍ଷାରେ ଭିଜି ଭିଜି ମହାପ୍ରଭୁଙ୍କ ଦିବ୍ଯ ଲୀଳା ଦେଖିଛନ୍ତି ଶ୍ରଦ୍ଧାଳୁ । ସ୍ନାନବେଦୀରେ ମହାପ୍ରଭୁଙ୍କର ସ୍ନାନ ପରେ ଗଜପତି ମହାରାଜା ଛେରା ପହଁରା କରିଥିଲେ । ଶ୍ରୀଜୀଉଙ୍କର ଧୂପ ଭୋଗ ପରେ ପୁଷ୍ପାଳକ, ସିଂହାରୀ, ମେକାପ ସେବାୟତ ଶ୍ରୀଜିଉଙ୍କୁ ହାତୀ ବେଶରେ ସୁସଜ୍ଜିତ କରିଥିଲେ । କିଏ ହନୁମାନ ତ କିଏ ଓଡ଼ିଶୀ ନୃତ୍ୟ କରି ନିଜକୁ ମହାବାହୁଙ୍କ ନିକଟରେ ସମର୍ପଣ କରୁଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଥିଲା । ଟ୍ରାଫିକ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯାପକ ପୋଲିସ ମୁତୟନ କରାଯାଇଥିଲା ।