ପାହାଡ଼ ଉପରେ ଭିନ୍ନକ୍ଷମ ମହିଳାଙ୍କ ମୃତଦେହ, ରହସ୍ୟରେ ମୃତ୍ୟୁର କାରଣ


ରାୟଗଡ଼ା: ଗୁଡାରୀ ଆମ୍ବାବାଡ଼ ନିକଟ ପାହାଡରୁ ଜଣେ ଭିନ୍ନକ୍ଷମ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ପଦ୍ମପୁର ଥାନା ବିରିପଦର ଗାଁର ରୀନା ଜେନା । ସେ ମିଶନ ଶକ୍ତିରେ କାମ କରୁଥିଲେ । ତେବେ ପାହାଡ଼ ଉପରକୁ ସେ କେମିତି ଗଲେ ? ସେଠାରେ ତାଙ୍କର ମୃତ୍ୟୁ କେମିତି ଘଟିଲା ? ଏହା ଆତ୍ମହତ୍ୟା ନା ପରଦା ପଛରେ ରହିଛି ଆଉ କିଛି କାରଣ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁସାରେ ଗତ ୨୫ ତାରିଖରେ ପଦ୍ମପୁର ବ୍ଲକରେ ମିଟିଂ ଥିବା କହି ଘରୁ ଯାଇ ରୀନା ଆଉ ଫେରି ନଥିଲେ । ବହୁତ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ସୂଚନା ପରିବାର ଲୋକେ ପାଇ ନଥିଲେ । ତେବେ ସ୍ଥାନୀୟ ଲୋକେ ପାହାଡ଼ ଉପରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା । ଏହାସହ ପରିବାର ଲୋକେ ଏହା ରୀନାଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ । ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ରୀନାଙ୍କୁ ହତ୍ୟା କରାଯାଇ ପାହାଡ଼ ଉପରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।