କଟକ: ରାସ୍ତାଘାଟ ହେଉ କି ଘର ଦୂଆର ଆଗ, କେଉଁଠି ବି କେହି ନୁହଁନ୍ତି ସୁରକ୍ଷିତ । କାରଣ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ । ଆଗରୁ କେବଳ ସହରରେ ଏମିତି ଗ୍ରୁପ ସକ୍ରିୟ ଥିବା ଦେଖିବାକୁ ମିଳୁଥିଲା । ହେଲେ ଏବେ ସବୁ ସ୍ଥାନରେ ଏମାନଙ୍କ ଉପସ୍ଥିତି ରହୁଛି । ଆପଣ କ’ଣ କରୁଛନ୍ତି ? କୁଆଡ଼େ ଯାଉଛନ୍ତି ? କେତେ ବେଳେ ଘରୁ ବାହାରୁଛନ୍ତି ? କେଉଁ ସମୟରେ ଏକା ରହୁଛନ୍ତି, ସବୁ ଉପରେ ରହିଛି ଏମାନଙ୍କ ନଜର । ଦିନ ହେଉ କି ରାତି ଭୋର ହେଉ କି ସନ୍ଧ୍ୟା ଏମାନଙ୍କ ନଜରରୁ ବର୍ତ୍ତିବା ଅସମ୍ଭବ । ପୋଲିସ ପାଟ୍ରୋଲିଂ ହେଉଛି ହେଲେ ଏମାନଙ୍କର କାହାକୁ ନାହିଁ ଖାତିର । ବାଇକରେ ଆସୁଛନ୍ତି, ସୁନା ଅଳଙ୍କାର ଲୁଟୁଛନ୍ତି ଓ ପୁଣି ବାଇକରେ ଫେରାର ହୋଇଯାଉଛନ୍ତି । ଏମିତି ଘଟଣା ଘଟିଛି କଟକ ସଦର ଥାନା ଅଞ୍ଚଳରେ ।
ଅଭିଯୋଗ ଅନୁସାରେ, ସଦର ଥାନା ବାଲିକୁଦା ଜଗନ୍ନାଥ କଲୋନୀର ଅଞ୍ଜୁ ବେହେରା ନାମକ ଜଣେ ମହିଳା ମର୍ଣ୍ଣିଂ ଓ୍ବାକ୍ ପାଇଁ ଘରୁ ବାହାରିଥିଲେ । ସମୟ ଥିଲା ସକାଳ ୫ଟା ୩୦ । ଘରୁ ବାହାରି ଦୁଇ ପାଦ ଆସିଛନ୍ତି କି ନାହିଁ । ତିନି ଜଣ ଯୁବକ ଏକ ବାଇକରେ ଆସିଲେ । ମାରଣାସ୍ତ୍ର ଦେଖାଇ ଭୟଭିତ କରିଥିଲେ । ଅଞ୍ଜୁ ଭୟଭିତ ହୋଇ ନିଜ ଘର ନିକଟକୁ ଦୌଡ଼ି ପଳାଇଥିଲେ । ହେଲେ ଲୁଟେରାମାନେ ତାଙ୍କୁ ଛାଡି ନଥିଲେ । ସେମାନେ ବିନା କିଛି ଭୟରେ ଅଞ୍ଜୁଙ୍କ ପିଛା କରିବା ସହ ମାରଣାସ୍ତ୍ର ଦେଖାଇ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ପୂରା ଘଟଣା ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏନେଇ ଅଞ୍ଜୁ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।