ମୋରଦାବାଦ: ସୁଇମିଂ ପୁଲରେ ଗାଧୋଇବା ପରେ ୧୦ ଟଙ୍କା ଦେଇ ନପାରିବାକରୁ ଜଣେ ୧୦ ବର୍ଷର ନାବାଳକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଗୁରୁବାର ନିକଟସ୍ଥ ଆଖୁ କିଆରିରୁ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣା ଘଟିଛି ଉତ୍ତର ପ୍ରଦେଶର ମୋରଦାବାଦ ଅନ୍ତର୍ଗତ ମୁଣ୍ଡା ପାଣ୍ଡେ ଅଞ୍ଚଳରେ । ପିଲାଟିକୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ବୁଧବାର ନାବାଳକ ଜଣଙ୍କ ନିଖୋଜ ଥିବା ଅଭିଯୋଗ ମିଳିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ସୁଇମିଂ ପୁଲ ନିକଟସ୍ଥ ଆଖୁ କିଆରିରୁ ପିଲାଟିର ମୃତଦେହ ଉଦ୍ଧାର କରାଯାଇଥିଲା । ଯାଞ୍ଚ ବେଳେ ପୋଲିସ ଘଟଣା ପଛର କାରଣ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ସୁଇମିଂ ପୁଲ ମାଲିକ ଓ ତାଙ୍କ ପୁଅ ବିରୋଧରେ ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିଛି ।
ମିଳିଥିବା ସୂଚନା ଅନୁସାରେ, ୫ମ ଶ୍ରେଣୀ ପଢ଼ୁଥିବା ଏହି ଛାତ୍ର ଜଣଙ୍କ ହେଲେ ସୀମା ଦେବୀଙ୍କ ପୁଅ । ୨୦୨୨ରେ ସୀମାଙ୍କ ସ୍ୱାମୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ୱାମୀଙ୍କ ଦେହାନ୍ତ ପରେ ସୀମା ଶ୍ରମିକ ଭାବେ କାମ କରି ନିଜର ୩ ପିଲାଙ୍କ କଥା ବୁଝୁଥିଲେ ।
ବୁଧବାର ଦିନ ନାବାଳକ ଜଣଙ୍କ ନିଖୋଜ ହୋଇଥିବା ପରିବାର ଲୋକ ଜାଣିବା ପରେ ପୋଲିସ୍ର ଦ୍ୱାରସ୍ଥ ହୋଇଥିଲା । ଗୁରୁବାର ଆଖୁ କିଆରିରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପିଲାଟିର ବେକ ଓ ମୁହଁରେ ଗଭୀର କ୍ଷତ ଚିହ୍ନ ରହିଥିଲା । ଆଖୁ କିଆରିରେ ମୃତଦେହ ପଡ଼ିଥିବା ଖବର ମିଳିବା ପରେ ଏସଏସ୍ପି ସତପାଲ ସିଂହ ଓ ଡିଆଇଜି ମୁନିରାଜ ଘଟଣାରେ ପହଞ୍ଚିଥିଲେ ।
ପୋଲିସ୍ କହିଛି, ଗାଁରେ ଗୋଟିଏ ସୁଇମିଂ ପୁଲ୍ ରହିଛି । ଏହାର ମାଲିକ ଏଠାରେ ଘଣ୍ଟାଏ ଗାଧେଇବା ପାଇଁ ପିଲାମାନଙ୍କ ଠାରୁ ୧୦ ଟଙ୍କା ନିଅନ୍ତି । ତେବେ ଘଟଣା ଦିନ ନାବାଳିକଙ୍କ ସମେତ ଆଉ କିଛି ପିଲା ସୁଇମିଂ ପୁଲ୍ରେ ଗାଧେଇଥିଲେ ହେଁ ଟଙ୍କା ଦେବାକୁ ଅକ୍ଷମ ହୋଇଥିଲେ ।
ତେଣୁ ସେମାନଙ୍କୁ ମାଡ଼ ମରାଯାଇଥିଲା । ପୀଡ଼ିତଙ୍କୁ ପ୍ରବଳ ପିଟା ଯିବା ସହ ତାଙ୍କ ତଣ୍ଟି ଚିପି ଦିଆଯାଇଥିଲା । ଏହାପରେ ତାଙ୍କ ମୃତଦେହକୁ ଆଖୁ କିଆରିରେ ଫିଙ୍ଗି ଦିଆଯାଇଥିଲା ।
ଘଟଣା ପରଠାରୁ ସୁଇମିଂ ପୁଲ ମାଲିକ ରାମ କୁମାର ଓ ତାଙ୍କ ପୁଅ ବୀରପଲ ଫେରାର ହୋଇ ଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।