T20 ବିଶ୍ବକପ୍ ଫାଇନାଲ: ରାତି ୮ରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର


ବାର୍ବଡସ: ଟି୨୦ ବିଶ୍ବକପର ଆଜି ମେଗା ଫାଇନାଲ । ଟକ୍କରା ଟକ୍କରି ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଭାରତ ଦ୍ବିତୀୟ ଟି୨୦ ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ସେପଟରେ କୌଣସି ଫର୍ମାଟରେ ବିଶ୍ବକପ୍ ଜିତି ନଥିବା ଦକ୍ଷିଣ ଆଫ୍ରିକା ଇତିହାସ ଲେଖିବାକୁ ଚେଷ୍ଟା କରିବ । ୧୭ ବର୍ଷ ଇତିହାସରେ ପ୍ରଥମ ଥର ଉଭୟ ଦଳ ମଧ୍ୟରୁ କେହି ଜଣେ ଅପରାଜିତ ବିଶ୍ବ ଚାମ୍ପିଅନ୍ ହେବାକୁ ଯାଉଛନ୍ତି । ରାତି ୮ଟାରେ ବାର୍ବଡସରେ ଖେଳାଯିବ ଟି୨୦ ବିଶ୍ବକପ୍ ମହାସମର ଫାଇନାଲ ମ୍ୟାଚ୍ ।

ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି । ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ସୁପର-୮ରେ ଅଷ୍ଟ୍ରେଲିଆ, ସେମିରେ ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ରୟାଲ ଏଣ୍ଟ୍ରି କରିଛି ଟିମ୍‌ ଇଣ୍ଡିଆ ।

ବାର୍ବଡସରେ ହେବାକୁ ଥିବା ମ୍ୟାଚରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି । ଯଦି ବର୍ଷା ଯୋଗୁଁ ଆଜିର ମ୍ୟାଚ୍ ନହୁଏ, ତା’ହେଲେ ଆଇସିସି ଏଥିପାଇଁ ରବିବାର ସଂରକ୍ଷିତ ଦିବସ ରଖିଛି । ଫାଇନାଲ ମ୍ୟାଚ୍‌କୁ ସାରିବା ପାଇଁ ଦୁଇ ଦିନର ସମୟ ଧାର୍ଯ୍ୟ କରାଯାଇଛି । ତଥାପି ଯଦି ମ୍ୟାଚ୍ ହୋଇ ନ ପାରିବ, ତା’ହେଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଟି-୨୦ ବିଶ୍ୱକପ ବିଜେତା ଘୋଷଣା କରାଯିବ ।