ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ, କାରଣ…


ନୀଳଗିରି: ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲି ସାରିଛି । ପିଲାମାନେ ନୂଆ କ୍ଲାସ୍ ପାଇ ସ୍କୁଲ ଯିବାକୁ ବେଶ ଉତ୍ସାହ ଦେଖାଉଛନ୍ତି । ସ୍କୁଲ ଖୋଲିବା ପୂର୍ବରୁ ଏହାର ପରିସରକୁ ସଫା ସୁତରା କରାଯାଇ ପିଲାମାନଙ୍କ ପାଇଁ ସୁସ୍ଥ ବାତାବରଣ ସୃଷ୍ଟି କରାଯାଇଛି । ହେଲେ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯେଉଁଥି ପାଇଁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ । ଅସ୍ବାସ୍ଥ୍ୟକର ପରିବେଶରେ ପିଲାଙ୍କୁ ପାଠ ପଢ଼ାଇବା ଅଭିଯୋଗରେ ଅଭିଭାବକମାନେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଭିତରେ ତାଲା ପକାଇ ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ନୀଳଗିରି ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଘଟିଛି । ସ୍କୁଲ ଖୋଲିବା ପରେ ଏହାର ପରିସରକୁ ସଫା କରାଇ ନଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ସେମାତି ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲା ପିଲାଙ୍କ ପାଠପଢ଼ା । ଯାହା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା ।

ସ୍କୁଲ ଭିତରେ ଅଳିଆ ଆର୍ବଜନା   ପିଲାମାନେ ଏହାରି ଭିତରେ ବସି ପାଠ ପଢ଼ୁଥିଲେ । ଏନେଇ ଅଭିଭାବକ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଖରେ ଅଭିଯୋଗ କରିବା ସହ ଏମିତି ଅସ୍ବାସ୍ଥ୍ୟକର ପରିବେଶରେ ପିଲା ପାଠ କେମିତି ପଢ଼ିବେ ବୋଲି ପ୍ରଶ୍ନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ପରେ ବି କୌଣସି ସୁଫଳ ମିଳି ନଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ ପରିସର ସଫା କରିବାକୁ କୌଣସି ବ୍ୟବସ୍ଥା କରି ନଥିଲେ ବୋଲି ଅଭିଯୋଗ ହୋଇଛି । ଫଳରେ ଆଜି ସକାଳେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅଫିସ ଭିତରେ ତାଲା ପକାଇ ଦେଇଥିଲେ ଅଭିଭାବକ । ଶିକ୍ଷା ଅଧିକାରୀ ପହଞ୍ଚି ଅଭିଭାବକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ହୋଇଥିଲା ।