ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନାର ଶୁଭାରମ୍ଭ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନୂଆଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ହିଁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ । ପ୍ରଧାନମନ୍ତ୍ରୀ ମୋଦି ଉକ୍ତଦିନ ଓଡ଼ିଶା ଆସି ଏହି ଯୋଜନାର ଲୋକାର୍ପଣ କରିବେ । ଉକ୍ତ ଦିନ ୫ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ଯୋଗାଇ ଦିଆଯିବ । ଏହାସହିତ ରାଜ୍ୟର ବିଜେପି ସରକାର ନିଜର ପ୍ରତିଶ୍ରୁତି ମୁତାବକ ଆସନ୍ତା ଖରିଫ ଋତୁରୁ ଧାନର ଏମଏସପି ୩୧୦୦ଟଙ୍କା କ୍ୱିଣ୍ଟାଲ ପିଛା ଦେବ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ଏବେ ଧାନର କ୍ୱିଣ୍ଟାଲ ଏମଏସପି ୨୩୦୦ଟଙ୍କା ଦେବେ ଓ ବାକି ୮୦୦ ଟଙ୍କା ରାଜ୍ୟ ସରକାର ଉଭୟ ଖରିଫ ଓ ଋବି ଋତୁରେ ଚାଷୀଙ୍କୁ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ନିଜର ୧୦୦ ଦିନର କାର୍ଯ୍ୟକ୍ରମରେ ସୁଭ୍ରଦା ଯୋଜନା ଓ ଚାଷୀଙ୍କୁ ୩୧୦୦ଟଙ୍କାର ଏମଏସପି ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନଯୋଗ୍ୟ, ବିଜେପି ସରକାର ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷ ପାଇଁ ୫୦ ହଜାର ଟଙ୍କାର ଭାଉଚର ଯୋଗାଇ ଦେବେ । ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିପାରିବେ ।