ହୋଲିରୁ ବିବାଦ ଓ ଛକାପଞ୍ଝା; ଗତ ରାତିରେ ଗାଁରେ ଫୁଟିଲା ୧୦ ବୋମା


ଆଠଗଡ଼: ହୋଲିଦିନରୁ ଗାଁରେ ଲାଗି ରହିଥିଲା ବିବାଦ । ଗୋଷ୍ଠୀ ସଂଘର୍ଷରେ ଆଡତ ହୋଇଥିଲେ ୫ ଜଣ । ସେବେଠାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିଲା ଛକାପଞ୍ଜା । ପାଉଁଶ ତଳର ନିଆଁ କୁହୁଳି କୁହୁଳି ଗତକାଲି ନେଇଥିଲା ବିସ୍ଫୋରକ ରୂପ । ଆଉ ଗାଁରେ ହୋଇଥିଲା ସିରିଜି ବୋମାମାଡ଼ । ଘଟଣା ଘଟିଛି ଆଠଗଡ଼ ତିଗିରିଆ ଥାନା ବେଲଆଣ୍ଟା ଗାଁରେ । ରାତିରେ ୧୦ରୁ ଅଧିକ ବୋମାମାଡ଼ ହୋଇଛି । ଘଟଣାରେ କେହି ମୃତାହତ ହୋଇ ନଥିଲେ ବି ଗାଁରେ କୋକୁଆ ଭୟ ଖେଳିଯାଇଛି । ଗାଁରେ ଉତ୍ତେଜନାକୁ ଦେଖି ଫୋର୍ସ ମୁତୟନ କରାଯାଇଛି ।

ହୋଲି ଦିନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫ ଜଣ ଆହାତ ହୋଇଥିଲେ । ସେ ସମୟରେ ହୋଇଥିବା ସଂଘର୍ଷରେ ଭୋଗଡାର ସରପଞ୍ଚଙ୍କ ସ୍ୱାମୀ ଓ ଦିଅର ଆହତ ହୋଇଥିଲେ । ପୋଲିସ୍‌ ପ୍ରଶାସନର ଉଦ୍ୟମ ଫଳରେ କିଛି ଦିନ ଶାନ୍ତ ପଡିବା ପରେ ଏବେ ଗାଁ ପୁଣି ଅଶାନ୍ତ ହୋଇପଡିଛି ।

ଗତ ରାତିରେ ଗୋଟିଏ ଗୋଷ୍ଠୀ ଗାଁରେ ବୋମା ମାଡ କରିଛନ୍ତି । ଗାଁରେ ସିରିଜ ବୋମା ମାଡ଼ ହୋଇ ବିଭିନ୍ନ ସ୍ଥାନରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବୋମା ଫୁଟିଥିଲା । ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିବା ବେଳେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଖବର ପାଇ ଘଟଣା ସ୍ଥଳରେ ଆଠଗଡ ଏସଡିପିଓ ଓ ତିଗିରିଆ ପୋଲିସ୍ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରୁଛନ୍ତି । ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ସ୍ଥିତି ବିଗିଡ଼ିବା ଆଶଙ୍କାରେ ଗାଁରେ ଫୋର୍ସ ମୁତୟନ କରାଯାଇଛି ।