ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଲା ଘର ଛପର, ଦମ୍ପତିଙ୍କ ସହ ତିନି ଗୁରୁତର


ନୟାଗଡ଼: ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଗଲା ଘରର ଛପର । ପତିପତ୍ନୀ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଫ୍ୟାନରୁ ସର୍ଟ ସର୍କିଟରୁ ଅଘଟଣା ଘଟିଥିବା ଜଣାପଡିଛି । ଘଟଣା ନୟାଗଡ଼ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ କ୍ୱାର୍ଟର୍ସରେ ଘଟିଛି । ଗତ ରାତି ପ୍ରାୟ ୩ଟାରେ ଏହି ଅଗ୍ନିକାଣ୍ଡ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ଭାପୁର ତହସିଲ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସ, ତାଙ୍କ ସ୍ତ୍ରୀ, ୩ ପିଲା ଓ ମାଆ ଘରେ ଶୋଇଥିଲେ । ଏହି ମସୟରେ ତାଙ୍କ ମାଆ ଶୋଇଥିବା ରୁମରେ ଥିବା ଟେବୁଲ ଫ୍ୟାନ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା । ଆଖି ପିଛୁଳାକେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା ।

ସମସ୍ତେ ଭୟରେ ଘର ବାହାରକୁ ଚାଲି ଯାଇଥିଲେ । ନିଆଁ ବ୍ୟାପିବାରୁ ଘରେ ଥିବା ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା । ପ୍ରଚଣ୍ଡ ଶବ୍ଦ ହେବା ସହ ଉଡି ଯାଇଥିଲା ଘର ଛାତ । ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁରେ କ୍ୱାର୍ଟର୍ସରେ ଥିବା ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି ।