ଆବାସ ଗୃହରେ ନାବାଳକଙ୍କ ଆତ୍ମହତ୍ୟା, ଚୋରି ମାମଲାରେ ଗିରଫ ହୋଇଥିଲେ


ଅନୁଗୁଳ: ଚୋରି ମାମଲାରେ ଧରାପଡି ଗିରଫ ହୋଇଥିଲେ । ପରେ ଅନୁଗୋଳ ସ୍ଥିତ ସ୍ବତନ୍ତ୍ର ଆବାସରେ ରହୁଥିଲେ । ଆଉ କିଛିଦିନ ପରେ ଆବାସ ଗୃହରୁ ବାହାରି ଘରକୁ ଯାଇଥାନ୍ତେ । ହେଲେ ନେଲେ ଚରମ ନିଷ୍ପତ୍ତି । ଆବାସର ପର୍ଯ୍ୟବେକ୍ଷଣ ଗୃହରେ ଥିବା ଶୌଚାଳୟରେ ଝୁଲି ପଡ଼ି ଜୀବନ ହାରିଲେ ନାବାଳକ । ମୃତ ନାବାଳଙ୍କ ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜଣାପଡିଛି ।

ଭାରପ୍ରାପ୍ତ ଉପଖଣ୍ଡ ପରିବୀକ୍ଷଣ ଅଧିକାରୀ ଅମୀର କୁମାର ନାଥଶର୍ମା ସୂଚନା ଅନୁସାରେ, ନାବାଳକ ଜଣଙ୍କ ଏକ ଚୋରି ମାମଲାରେ କଟକ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ଜରିଆରେ ୭ରୁ ୮ ମାସ ହେବ ଅନୁଗୁଳ ସ୍ଥିତ ସ୍ୱତନ୍ତ୍ର ଆବାସକୁ ଆସିଥିଲେ । ତାଙ୍କର ମାନସିକ ସମସ୍ୟା ଥିଲା । ଜଣେ ଡାକ୍ତରଙ୍କ ଅଧୀନରେ ନିୟମିତ ଭାବେ ତାଙ୍କ ଚିକିତ୍ସା ଚାଲିଥିଲା । ସେ ମେଡ଼ିସିନ ଖାଇବା ସହ କାଉନସେଲିଂ ମଧ୍ୟ ଚାଲୁଥିଲା ।

ଆଗକୁ ସେ କହିଛନ୍ତି, ସବୁ କିଛି ଠିକ୍‌ ଠାକ ଥିବା ବେଳେ ଆଜି ଭୋରରୁ ନାବାଳକ ଜଣକ ଶୌଚାଳୟ ଯାଇଥିବା ବେଳେ ସେଠାରେ ଝରକା ରେଲିଂରେ ନିଜ ଗାମୁଛାରେ ଝୁଲି ପଡ଼ିଥଲେ । ସେଠାରେ ଉପସ୍ଥିତ ଅନ୍ୟମାନେ ଏହା ଦେଖିବା ପରେ ତୁରନ୍ତ ନାବାଳକଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ କଟକ ଜୁଭେନାଇଲ ଜଷ୍ଟିସ ବୋର୍ଡ଼କୁ ସୂଚନା ଦିଆଯାଇଛି । ଶବ ବ୍ୟବଚ୍ଛେଦ ପରେ ନାବାଳକଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ଏହି ମାମଲାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ଉନ୍ମୋଚନ କରାଯିବ ବୋଲି ସେ କହିଛନ୍ତି ।