ଘର ଉପରେ ଚଢ଼ିଗଲା ଟ୍ରକ, ବୃଦ୍ଧା ମୃତ


ବାରିପଦା: କୁହାଯାଏ ଘରଠାରୁ ସୁରକ୍ଷିତ ସ୍ଥାନ ଆଉ କେଉଁଠି ନାହିଁ । ଘରେ ଥିଲେ ବାହାରୁ ଆସୁଥିବା କୌଣସି ବିପଦକୁ ଆଗ ଆପଣଙ୍କ ପ୍ରିୟ ଘରର ସାମ୍ନା କରିବାକୁ ପଡ଼ିବ । ହେଲେ ସେହି ଘର ଭିତରେ ଥାଇ ବି ଯଦି ବାହାରୁ ଅକସ୍ମାମ ବିପଦ ଆସିବ ଓ ଆପଣଙ୍କ ଜୀବନ ନେଇଯିବ ତେବେ ଏହାଠାରୁ ଆଉ ବଡ଼ ଘଟଣା କିଛି ହୋଇନପାରେ । ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଦାଣ୍ଡ ବୋଷ ଗାଁରେ । ଏକ ଟ୍ରକ ଦ୍ରୁତଗତିରେ ଆଓି ରାସ୍ତା ପାର୍ଶ୍ବରେ ଥିବା ଗୋଟିଏ ଘରେ ପଶିଯିବାରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ପରିବାରର ଅନ୍ୟ ସଦସ୍ୟମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା କମଳା ପାତ୍ର ଓ ତାଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡିଛି ।

ମିଳିଥିବା ତଥ୍ୟ ଅନୁସାରେ, ଦାଣ୍ଡ ବୋଷ ଗାଁରେ କମଳା ପାତ୍ର ନିଜ ପରିବାର ସହ ରହନ୍ତି । ଗତରାତିରେ ଖାଇ ପିଇ କମଳା ଓ ପରିବାରର ଅନ୍ୟ ସଦସ୍ୟମାନେ ଶୋଇଥିଲେ । କମଳା ଘରେ ଲକ ଖଟିଆରେ ଶୋଇଥିଲେ । ଆଜି ଭୋରୁ ହଠାତ୍‌ ଏକ ଟ୍ରକ୍‌ ତାଙ୍କ ଘରକୁ ଧକ୍କା ଦେବା ସହ ଭିତରେ ପଶିଯାଇଥିଲା । ଭିତରେ ଖଟିଆରେ ଶୋଇଥିବା କମଳାଙ୍କ ଉପରେ ଟ୍ରକଟି ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ କମଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ ତୁରନ୍ତ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଓ ଘର ମରାମତି ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି ।

ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳା ନନ୍ଦ ସାହୁ, ପୋଲିସ୍‌ ଟିମ୍‌ ଓ ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶ୍ଵାଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି । ମାତ୍ର ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି ।