ରଙ୍ଗ ଓ ନାଁ ବଦଳା ରାଜନୀତି ଛାଡି ଦେଇଥିବା ପ୍ରତିଶ୍ରୁତି ପୂରଣ କର: ବିଜେଡି


ଭୁବନେଶ୍ବର: ମୋ ବସର ନାଁ ପରିବର୍ତ୍ତନ ସହ ରଙ୍ଗ ବଦଳାଯିବାକୁ ନେଇ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଲୋକାମୁଦ୍ର ବକ୍ସିପାତ୍ର ଏକ ସାମ୍ବାଦିକ ସମମିଳନୀରେ ବିଜେପିକୁ ଟାର୍ଗେଟ କରିବା ସହ କଡା ସମାଲୋଚନା କରିଛନ୍ତି । ବିଜେପି ସରକାର ନାଁ ଓ ରଙ୍ଗ ବଦଳାଇବା ରାଜନୀତି ଛାଡି ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ବୋଲି ଉଭୟ କହିଛନ୍ତି ।
ପ୍ରମିଳା କହିଛନ୍ତି, ‘କମ୍ ଖର୍ଚ୍ଚରେ ଲୋକେ ଯିବା ଆସିବା କରିବେ ବୋଲି ଲକ୍ଷ୍ମୀ ବସ୍ ଯୋଜନା କରିଥିଲେ ନବୀନ ପଟ୍ଟନାୟକ ସରକାର । କ୍ଷମତାକୁ ଆସିବା ପରେ ବିଜେପି ଏହାର ନାଁ ଓ ରଙ୍ଗ ପରିବର୍ତ୍ତନ କରୁଛି । ଏଥିରୁ ଜଣାପଡୁଛି, ଏହି ସରକାର ନୂଆ ଯୋଜନା କରିବେ ନାହିଁ । ନବୀନ ସରକାର କରିଥିବା କାମରେ ରଙ୍ଗ ଦେଇ, ନାଁ ବଦଳାଇ ନିଜ ଫଟୋ ଛାପି କେବଳ ପ୍ରଚାର କରିବେ ।’
ବିଜେଡି ସରକାର କରିଥିବା କାମର ରଙ୍ଗ ଓ ନାଁ ବଦଳାଇ ବିଜେପି ସରକାର ୫ ବର୍ଷ ବିତେଇ ଦେବ କି ବୋଲି କଟାକ୍ଷ କରି ପଚାରିଛନ୍ତି ପ୍ରମିଳା । ଆଗକୁ ସେ କହିଛନ୍ତି, ବଜେଟର କ’ଣ କରୁଛନ୍ତି ସରକାର, ତାହା ଦେଖିବୁ । ପ୍ରତିଶ୍ରୁତି ପୂରଣ ନ ହେଲେ ବିଜେଡି ରାଜରାସ୍ତାକୁ ଆସିବ ।
ଏହାସହ ସେ କହିଛନ୍ତି, ରତ୍ନଭଣ୍ଡାରକୁ ନେଇ, ଜଗନ୍ନାଥଙ୍କୁ ନେଇ କାହିଁକି ରାଜନୀତି କରୁଛନ୍ତି ସରକାର । ଯଦି ରତ୍ନଭଣ୍ଡାର ଖୋଲିବାର ଅଛି ଖୋଲନ୍ତୁ, କେହି ମନା କରୁନାହାନ୍ତି । କିନ୍ତୁ ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ ।
ସେହିପରି ଲୋପାମୁଦ୍ରା କହିଛନ୍ତି, ବିଜେପି ଶାସନକୁ ଆସିବାର ମାସେ ହେଲାଣି । କିନ୍ତୁ ଇସ୍ତାହାରର ଗୋଟିଏ ପ୍ରତିଶୃତି ପୂରଣ ପାଇଁ କାମ ଆରମ୍ଭ ହୋଇନି । କେବଳ ରଙ୍ଗ ଓ ନାଁ ପରିବର୍ତ୍ତନ କରାଗଲେ, ବିରୋଧ କରାଯିବ ।