ଗୋବରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପନ୍ଦର ଦିନ ହେଲା ନଳକୂପ ଅଚଳ, ରୋଗୀ ହନ୍ତସନ୍ତ


ବେଲଗୁଣ୍ଠା,06/07, ବେଲଗୁଣ୍ଠା ବ୍ଳକ୍ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପନ୍ଦର ଦିନ ଧରି ଗୋଟିଏ ନଳକୂପ ଅଚଳ ଥିବାରୁ ସ୍ଵାସ୍ଥ୍ୟକେନ୍ଦ୍ର କର୍ମଚାରୀ, ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ସୂଚନା ପ୍ରକାରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇଟି ନଳକୂପ ରହିଛି I କିନ୍ତୁ ସେଥି ମଧ୍ୟରେ ଗୋଟିଏ ନଳକୂଅରୁ ଖରାପ, କଳଙ୍କି ମିଶା ପାଣି ବାହାରୁ ଥିବ ବେଳେ ମାତ୍ର ଗୋଟିଏ ନଳକୂଅରୁ ପାନୀୟ ଉପଯୋଗୀ ଜଳ ବାହାରୁ ଥିଲା I କିନ୍ତୁ କୌଣସି କାରଣରୁ ପାନିୟ ଉପଯୋଗୀ ଜଳ ବାହାରୁ ଥିବା ନଳକୂପଟି ଖରାପ ହୋଇପଡିଥିବା ବେଳେ ଏହାର ମରାମତି ଦିଗରେ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃ୍ଦ୍ଧି ପାଉଛି I ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା କର୍ମଚାରୀ, ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ପାନୀୟ ଜଳ ପାଇଁ ଏହି ନଳକୂଅଟି ଉପରେ ଭରସା କରୁଥିବାରୁ ଏବେ ପାନୀୟ ଜଳ ଅଭାବରେ ହନ୍ତସନ୍ତ ହେଉଛନ୍ତି I ଏପରିକି ବହୁ କର୍ମଚାରୀ ଏବଂ ରୋଗୀଙ୍କ ସମ୍ପର୍କୀୟ ବାହାର ଦୋକାନରୁ ପାଣି ବୋତଲ କିଣିକି ନେଇ ବ୍ୟବହାର କରୁ୍ଥିବା ଦେଖିବାକୁ ମିଳିଛି I ଏନେଇ ସ୍ଥାନିୟ ସମିତିସଭ୍ୟ ବିଭୂପାଦ ଜେନା ଅବଗତ ହେବା ପରେ ସେ ବ୍ଳକ୍ ସ୍ତରୀୟ ବିଭାଗରେ ନଳକୂଅ ମରାମତି ପାଇଁ ଅଭିଯୋଗ ପଞ୍ଜିକରଣ କରିଥିଲେ I କିନ୍ତୁ ଅଭିଯୋଗ କରିବାର ବହୁ ଦିନ ପରେ ମଧ୍ୟ ନଳକୂପଟି ମରାମତି ନ ହେବାରୁ ସେ ନିଜ ଅଭିଯୋଗର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ ଯେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଖାମଖିଆଲି କମା ଯୋଗୁଁ ପଞ୍ଜିକରଣରେ ତ୍ରୁଟି ରହିଥିଲା I ଫଳରେ ବ୍ଳକ୍ କର୍ମଚାରୀ ମାନେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନଳକୂଅ ବଦଳରେ ଅନ୍ୟ ଏକ ନଳକୂଅ ମରାମତି କରି ଚାଲିଯାଇଥିଲେ I ଏନେଇ ସମିତିସଭ୍ୟ ଶ୍ରି ଜେନା ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ନଳକୂପ ମରାମତି କରିବାକୁ ଦାବି କରିଛନ୍ତି ।