ପୁରୀ: ବଡ଼ଦାଣ୍ଡରେ ଗତକାଲି ଅଟକି ରହିଥିବା ତିନି ରଥ ଆଜି ସକାଳୁ ଟଣା ହେବା ଆରମ୍ଭ ହୋଇଛି । ବଡ଼ ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ମହାପ୍ରଭୁ ଜଗନ୍ନାଥ ଏବେ ଭକ୍ତଙ୍କ ଗହଣରେ ଜନ୍ମବେଦୀ ମୁହାଁ ହୋଇଛନ୍ତି । ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାର ସହ ତିନି ଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରକୁ ଟାଣି ନେଉଛନ୍ତି ।
ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର । ପଛେ ପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆଁନ୍ତ । ରଥରେ ୩ ଠାକୁରଙ୍କୁ ପାଇ ଭାବବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତ । ଘଣ୍ଟଘଣ୍ଟା, ବାଦ୍ୟରେ ଓ ଜୟ ଜଗନ୍ନାଥ ଧ୍ବନୀରେ ଗଗନପବନ ପ୍ରକମ୍ପିତ ହେଉଛି ।
ଗତକାଲି ନିର୍ଦ୍ଧାରିତ ସମୟ ନୀତିକାନ୍ତି ସରିବା ପରେ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା ରଥ ଟଣା। ରାଜନଅର ସମ୍ମୁଖରେ ଅଟକିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ । ମରିଚିକୋଟ ଛକରେ ଅଟକି ରହିଥିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ । ସେହିପରି ସିଂହଦ୍ୱାରଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଥିଲେ କାଳିଆ ସାଆଁନ୍ତ । ୫ ଦଶନ୍ଧି ପରେ ଗତାକାଲି ଏକ ବିରଳ ତିଥିରେ ଏକାଥରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଗୁଣ୍ଡିଚା ଯାତ୍ରା ପଡିଥିବାରୁ ଏଥର ଦୁଇ ଦିନ ରଥଟାଣିବାକୁ ପରମ ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି ଭକ୍ତ ।