ତଲାକ ପରେ ପତ୍ନୀଙ୍କୁ ଭରଣପୋଷଣ ଦେବେ ମୁସଲମାନ ପୁରୁଷ: ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ତଲାକ ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ । ଏମିତି କହିଛନ୍ତି ସୁପ୍ରିମକୋର୍ଟ । ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ରାୟରେ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ । 

ସୂଚନା ଅନୁସାରେ, ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ ୨୦୧୭ରେ ଛାଡ଼ପତ୍ର ହୋଇଥିଲା । ମହିଳା ଜଣକ CrPCର ଧାରା ୧୨୫ ଅନୁଯାୟୀ ସ୍ୱାମୀଙ୍କଠୁ ଭରଣ ପୋଷଣ ପାଇଁ ଦାବି କରିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ଅବଦୁଲ ମସାଦ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । 

ଆଜି ସର୍ବୋଚ୍ଚ ଅଦାଲତର ଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଗର୍ଗ ମାସିହ ଏହା ଉପରେ ଶୁଣାଣି କରି ଅବଦୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । CrPCର ଧାରା ୧୨୫ ଅନୁସାରେ ଛାଡ଼ପତ୍ର ପରେ ବି ସ୍ୱାମୀ, ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏଥିସହ ଭରଣ ପୋଷଣ ବାବଦକୁ ସ୍ତ୍ରୀକୁ ମାସିକ ୨୦ ହଜାର ଟଙ୍କା ଦେବାକୁ ଅବଦୁଲଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଆବେଦନର ଶୁଣାଣି ସମୟରେ, ଅବଦୁଲଙ୍କ ଓକିଲ ଯୁକ୍ତିବାଢ଼ି କହିଥିଲେ ଯେ, ତଲାକକୁ ନେଇ ସଂରକ୍ଷଣ ଅଧିକାର ଆଇନ, ୧୯୮୬ ଅନୁସାରେ ଜଣେ ମୁସଲିମ ମହିଳା CrPC ଧାରା ୧୨୫ର ଅଧିକାର ପାଇବା ପାଇଁ ଦାବି କରିପାରିବ ନାହିଁ । ଏମିତିରେ ୧୯୮୬ ଅଧିନିୟମ ମୁସଲିମ ମହିଳାମାନଙ୍କ ପାଇଁ ଅଧିକ ଲାଭଦାୟକ। 

ଏହାକୁ ଖଣ୍ଡନ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ମହିଳାମାନଙ୍କ ଭରଣ ପୋଷଣ କ୍ଷେତ୍ରରେ କୌଣସି ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ । କେବଳ ମୁସଲିମ ମହିଳା ନୁହଁନ୍ତି, ସମସ୍ତ ଧର୍ମର ମହିଳା ରକ୍ଷଣା ବେକ୍ଷଣର ଅଧିକାର ପାଇଛନ୍ତି । ଧାରା ୧୨୫ ଅନୁଯାୟୀ ସମସ୍ତ ଧର୍ମର ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ରକ୍ଷଣା ବେକ୍ଷଣ ମାମଲା ଦାୟର କରିପାରିବେ । ଧର୍ମ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ।