Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ବସ୍ତରେନ ମାଉଲି ଙ୍କ ଆଷାଢ କେନା ମଣ୍ଡେଇ ଯାତ୍ରା, ଲାଠିଯାତ୍ରା ଓ କଣ୍ଟା ଦୋଳିରେ ଝୁଲିଲେ କାଲିସି ।

କଳାହାଣ୍ଡି:୨୦/୦୭
କଳାହାଣ୍ଡି ଜିଲ୍ଲା ହେଉଛି ଆଦିବାସୀ ବହୁଳ ଜିଲ୍ଲା,ଜିଲ୍ଲା ରେ ଜୀବନ ଜୀବିକା କହିଲେ କୃଷି କୁ ନେଇ ଏଠିକାର ଲୋକେ ନିର୍ଭରଶୀଳ। ଚାଷି ଙ୍କ ମଧ୍ୟରେ କୃଷି କୁ ନେଇ ଅନେକ ପରମ୍ପରା ରହିଥିବା ବେଳେ ବାହୁଡା ଯାତ୍ରା ର ପୂର୍ଵ ଶୁକ୍ରବାର ରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗାଁ ର ଆରାଧ୍ୟ ଦେବୀ ମା ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢକେନା ମଣ୍ଡେଇ ଯାତ୍ରା ବର୍ଷାନୁକ୍ରମେ ପାଳନ ହୋଇ ଆସୁଛି।ମା ବସ୍ତରେନ ଙ୍କ ମୂଳପୀଠ ଛତିଶଗଡ଼ ରାଜ୍ୟର ଦନ୍ତେବାଡା ହୋଇଥିବା ବେଳେ ସେଠାରୁ ମା ଙ୍କ ବିଗ୍ରହ କୁ ନାଗବଂଶୀ ରାଜା ଙ୍କ ଶାସନ କାଳରେ ଆଣି ସ୍ଥାପନ କରାଯାଇଛି। ସେହି ସମୟରୁ ଏହି ଯାତ୍ରାକୁ ଆଷାଢ଼ କେନା ମଣ୍ଡେଇ ଯାତ୍ରା କୁହାଯାଏ । ଆଷାଢ଼ ମାସ ପ୍ରାରମ୍ଭରେ ଚାଷ ପାଇଁ ଚାଷୀ ବିହୁଡା ଓ ରୁଆ ପ୍ରସ୍ତୁତି ଆରମ୍ଭ କରନ୍ତି । ପରମ୍ପରା ଅଛି ଯେ ଏହି ମଣ୍ଡେଇ ଯାତ୍ରା ସରିବା ପରେ ହିଁ ଏହି ଅଞ୍ଚଳର ଚାଷୀ ଜମିରେ ଘାସବଛା,ବିହୁଡା ଓ ରୁଆ କାର୍ଯ୍ୟ ଆରମ୍ଭ କରନ୍ତି। ସେହି ପରମ୍ପରା କୁ ଉଜ୍ଜୀବିତ ରଖି କୃଷି ଭିତ୍ତିକ ଆଷଢ଼ କେନା ମଣ୍ଡେଇ ଯାତ୍ରା
ପର୍ଵ କୁ ବଂଶାନୁକ୍ରମେ ପାଳନ।କରାଯାଉଛି। ଶୁକ୍ରବାର ସକାଳୁ ଗ୍ରାମର ଗୌନ୍ତିଆ ଚୁମନ ପାତ୍ର ଓ ପୂଜକ ଚିତ୍ରସେନ ମାଝୀଙ୍କ ଘରୁ ପୁଜା ସାମଗ୍ରୀ, ଦେବୀଙ୍କ ଲାଠି, କାଳିସୀ ବାଜା ବଜାଇ ଏକ ଶୋଭାଯାତ୍ରାରେ ଦେବୀ ପିଠକୁ ପହଞ୍ଚିବା ପରେ ଆମପାଣି ଗ୍ରାମରୁ ବୁଢାରଜା, ଡେଙ୍ଗାଗୁଡା ଗ୍ରାମରୁ ହିଙ୍ଗୁଲା, ମାଝିଗୁଡା ଗ୍ରାମରୁ ବରସାଲ ମାଝି ସହ ଠାକୁରାଣି, ଲଙ୍କେଶ୍ୱରୀ ଓ ଦ୍ୱାରସିନୀ ଦେବୀଙ୍କ ଲାଠି ଓ କାଳିସୀ ଦେବୀ ପୀଠକୁ ପହଞ୍ଚିଥିଲା । ପୀଠରେ ପ୍ରଥମେ ପୁଜାର୍ଚ୍ଚନା କରିବା ପରେ ଦେବୀ ମାନଙ୍କର ଲାଠିକୁର୍ସି ମଣ୍ଡେଇ ହାଟ ପରିକ୍ରମା କରିଥିଲେ । ଆଷାଢ଼ କେନା ମଣ୍ଡେଇ ଯାତ୍ରା ରେ ସାମିଲ ହୋଇଥିବା ସମସ୍ତ ଦେବାଦେବୀ ଏକତ୍ର ହୋଇ ମଣ୍ଡେଇ ହାଟକୁ ୩ ଥର ପରିକ୍ରମା କରି ପୁଣିଥରେ ଦେବୀ ପୀଠକୁ ଫେରି ଆସିଥିଲେ । ଦେବୀ ମାନଙ୍କ ପରିକ୍ରମା ସମୟରେ ଶହ ଶହ ମହିଳା ଓ ପୁରୁଷ ଭକ୍ତ ମାନେ ବାଟ ଓଗାଳି ନିଜ ନିଜର ମାନସିକ ଜଣାଇଥିଲେ । ସେହି ସମୟରେ କାଳିସୀ ମାନେ ହାତରେ ଧରିଥିବା ବିନ୍ତି (ଦେବୀଙ୍କ ଚାଉଳ) ଭକ୍ଷଣ କରିବା ପାଇଁ କହି ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଥିଲା । ପରେ କଣ୍ଟା ଦୋଳିରେ କାଲିସି ମାନେ ଝୁଲିବା ସହ ଗ୍ରାମର ଗୌନ୍ତିଆ, ପୁଜକ, ଗ୍ରାମରକ୍ଷୀ, ଲାଠି ବୋହିଥିବା ବ୍ୟକ୍ତି ସହ ଏପରି ୧୦/୧୫ ଜଣରୁ ଉର୍ଦ୍ଧ ବ୍ୟକ୍ତି କଣ୍ଟା ଦୋଳିରେ ଝୁଲି ଭକ୍ତ ଓ ଦର୍ଶକ ମାନଙ୍କୁ ମା ଙ୍କ ପ୍ରତକ୍ଷ୍ୟ ବିଶ୍ଵାସ ଜନ୍ମାଇଥିଲେ । ମା ବସ୍ତରେନ ଙ୍କ ନିକଟରେ ମାନସିକ କରିଥିବା ଭକ୍ତ ନିଜ ନିଜର ମାନସିକ ପୁରଣ ସଦୃଶ୍ୟ କୁକୁଡା,ପାରା, ବୋଦା ବଳି ଦେଇଥିବା ବେଳେ ଅଧିକାଂଶ ଭକ୍ତ ଶୁକ୍ଳ ଭୋଗ ଧୂପ ଦୀପ,ନଡିଆ,କଦଳୀ,ମୁଆଁ,ଚଢାଇ ପୂଜାର୍ଚ୍ଚନା କରି ଆଶିର୍ବାଦ ନେଇଥିଲେ । ମଣ୍ଡେଇ ଯାତ୍ରାର ସବୁ ପ୍ରକାର ପୂଜା କାର୍ଯ୍ୟ ପୁଜକ ଚିତ୍ରସେନ ମାଝିଙ୍କ ନେତୃତ୍ୱରେ ହୋଇଥିବା ବେଳେ ଟେମରା ଗ୍ରାମର ସରପଞ୍ଚ କ୍ଷିତିରାମ ପାତ୍ର, କମିଟି ସଭାପତି ପଦ୍ମଲୋଚନ ଦଳପତି, ସମ୍ପାଦକ ମହାଦେବ ବେଶ୍ରା, ସୁଧିର କୁମାର ପାତ୍ର, ସୁଦାମ ପୁଝାରୀ, ହେମନ୍ତ ବାଣୁଆ ,ଶିକ୍ଷାବିଦ ଅଶୋକ କୁମାର ଦାସ,ମିନକେତନ ସାହୁ, ଦୁଷ୍ମନ୍ତ କୁମାର ପାତ୍ର,ଟୋପେଶ୍ୱର ମାଝୀ,ଚକାଡୋଳା ପାତ୍ର, ଅଭିରାମ ଳଦୁଆ,ବିପିନ ଦଳପତି,କମଣ୍ଡଳ ପଟେଲ, ଗୋପିନାଥ ସୁନାନୀ, ବୃନ୍ଦାବନ ସତନାମୀ,ସୁଶାନ୍ତ କୁମାର ସାହୁ, ପ୍ରମୁଖ ସହଯୋଗ କରିଥିଲେ । ଏହି ମଣ୍ଡେଇ ଯାତ୍ରାରେ ପ୍ରବଳ ବର୍ଷା ସତ୍ତ୍ୱେ ଜୟପାଟଣା,ଧର୍ମଗଡ, ନବରଙ୍ଗପୁର,ଛତିଶଗଡ଼ ଅଞ୍ଚଳ ରୁ ୫ ହଜାରରୁ ଉର୍ଦ୍ଧ ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ କୋକସରା ଥାନା ତରଫରୁ ବ୍ୟାପକ ପୋଲିସ କର୍ମଚାରୀ ନିୟୋଜିତ ରହିଥିଲେ।
ରିପୋର୍ଟ— ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ