ବିଷାକ୍ତ ସାପ କାମୁଡ଼ାରେ ଭାଇ, ଭଉଣୀଙ୍କ ମୃତ୍ୟୁ


ବଲାଙ୍ଗୀର: ରାତିରେ ଶୋଇଥିବା ବେଳେ କାମୁଡ଼ି ଦେଲା ବିଷାକ୍ତ ସାପ । ଚାଲିଗଲା ଭୁଇ, ଉଉଣୀଙ୍କ ଜୀବନ । ଏମିତି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଜାମପଦର ଗାଁରେ । ମୃତକ ହେଲେ ବିକାଶ ଶାଗରଙ୍କ ନାବାଳକ ପୁଅ ଭାବଗ୍ରାହୀ ଓ ତାଙ୍କ ଝିଅ ମନିକା ।

ଗତକାଲି ରାତିରେ ପିଲା ଦୁଇଟି ଖାଇପିଇ ବାପାମା’ଙ୍କ ପାଖରେ ଶୋଇଥିଲେ । ବିଳମ୍ବିତ ରାତିରେ ପିଲା ଦୁଇଟି ଅସୁସ୍ଥ ହୋଇ ପଡ଼ିଥିଲେ । ଦୁଇ ଜଣଙ୍କ ମୁହଁରୁ ଫେଣ ବାହାରୁଥିଲା । ସାପ କାମୁଡ଼ି ଥିବା ସନ୍ଦେହ କରି ପରିବାର ଲୋକେ ସଙ୍ଗେ ସଙ୍ଗେ ପିଲା ଦୁହିଁଙ୍କୁ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପିଲା ଦୁଇଟିର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପିଲା ଦୁହିଁଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଘରୁ ଭିତରୁ ସାପ ବାହାରିଥିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।