ନବମ ଶ୍ରେଣୀ ଛାତ୍ରର ବିଷ ପିଇ ଆତ୍ମହତ୍ୟା


ବେଲଗୁଣ୍ଠା,26/07, ବେଲଗୁଣ୍ଠା ବ୍ଳକ୍ କେ ନୂଆଁଗଡ଼ ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ର ମୂଷା ମରା ବିଷ ଖାଇ ଆତ୍ମହତ୍ୟା କରିଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି I ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ କେ ନୂଆଁଗଡ଼ ଗ୍ରାମର ନାରାୟଣ ପରିଡ଼ାଙ୍କ ବଡ଼ ପୁଅ ଚନ୍ଦନ ପରିଡ଼ା(14) I ଚନ୍ଦନ କ୍ଷତ୍ରିୟବରପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲା I ମୃତ ଚନ୍ଦନର ବାପା ନାରାୟଣଙ୍କ ଏତାଲା ପ୍ରକାରେ ଗତ ମାସ 17 ତାରିଖ ଦିନ ନିଜ ସାଙ୍ଗ ମାନଙ୍କ ସହିତ ଗାଆଁ ଦାଣ୍ଡରେ କ୍ରିକେଟ୍ ଖେଳୁଥିବା ବେଳେ ବଲ୍ ଟି ଅସାବଧାନତା ବଶତଃ ଗ୍ରାମର ଜନୈକା ମହିଳା ଦେହରେ ବାଜିଥିଲା I ନାରାୟଣଙ୍କ ଅଭିଯୋଗ ପ୍ରକାରେ ମହିଳା ଜଣଙ୍କ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ପ୍ରରୋଚନାରେ ଗାଙ୍ଗପୁର ଥାନାରେ ଚନ୍ଦନ ଏବଂ ନାରାୟଣଙ୍କ ନାମରେ ଏତାଲା ଦେଇଥିଲେ I ମହିଳାଙ୍କ ଏତାଲାକୁ ଭିତ୍ତି କରି ଗାଙ୍ଗପୁର ଥାନାରେ ଏକ କେଶ୍ ରୁଜୁ ହେବା ପରେ ଚନ୍ଦନ ମାନସିକ ଚାପଗ୍ରସ୍ତ ହୋଇଯାଇଥିଲା I ଅନ୍ୟପଟେ ସମ୍ପୃକ୍ତ ମହିଳା ଏବଂ ଅନ୍ୟ ଦୁଇଜଣ ବ୍ୟକ୍ତି ଚନ୍ଦନର ଭବିଷ୍ୟତ ନଷ୍ଟ ହୋଇଗଲା, ସେ ଭବିଷ୍ୟତରେ କେବେ ଚାକିରି କରିପାରିବ ନାହିଁ ବୋଲି ଚନ୍ଦନକୁ ବାରମ୍ବାର ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ନାରାୟଣ ନିଜ ଏତାଲାରେ ଉଲ୍ଲେଖ କରିଛନ୍ତି I ଏହି ମାନସିକ ନିର୍ଯାତନାକୁ ସହି ନପାରି ଚନ୍ଦନ ଆଜି ସକାଳ ନଅ ଘଣ୍ଟା ସମୟରେ ମୂଷା ମରା ବିଷ ଖାଇଦେଇଥିଲା ବୋଲି ନାରାୟଣ ଅଭିଯୋଗ କରିଛନ୍ତି I ଆଜି ଚନ୍ଦନ ମୂଷା ମରା ବିଷ ଖାଇଦେବା ପରେ ପରିବାର ଲୋକେ ତାକୁ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନର ମୃତ୍ୟୁ ଘଟିଥିଲା I ଚନ୍ଦନର ଅକାଳ ମୃତ୍ୟୁରେ କେ ନୂଆଁଗଡ଼ ଗ୍ରାମ ଏବଂ ଚନ୍ଦନର ସାଙ୍ଗସାଥୀ ମହଲରେ ଶୋକର ଛାୟା ଖେଳିଯାଇଛି I