Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକାଙ୍କୁ ବିବାହ କରିଥିବା ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ

ତରଭା,୨୨/୪ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗରେ ତରଭା ପୋଲିସ ୨ଜଣ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି।ତରଭା ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନାରୁ ପ୍ରକାଶଯେ ପ୍ରଥମ ଘଟଣାଟି ଏହି ଥାନା ଅନ୍ତର୍ଗତ ବେଳମୁଣ୍ଡା ଗ୍ରାମର ଏକ ୧୭ ବର୍ଷୀୟା ନାବାଳିକାର ବିବାହ କୁଳଥିଆପଦର ନିବାସୀ ନାରାୟଣ ବାଗଙ୍କ ସହ ଫେବୃଆରୀ ୨୦୨୧ ହେଉଥିବା ଜାଣି ତରଭା ସିଡିପିଓ ସବିତା ଦୋରା,ସେକ୍ଟର ସୁପରଭାଇଜର ତିଲୋତ୍ତମା ବରିହା, ରୀନା ପଣ୍ଡା,ଶ୍ରଦ୍ଧାଞ୍ଜଳି ଭୋଇ, ଗ୍ରାମ୍ୟ ବାଲ୍ୟବିବାହ ନିଷେଧ କମିଟି,ତତ୍କାଳୀନ ତରଭା ଥାନା ସବ ଇନ୍ସପେକ୍ଟର ପ୍ରିୟଙ୍କା ବେହେରା ପ୍ରମୁଖ ବେଳମୁଣ୍ଡା ଯାଇ ନାବାଳିକାର ମାତା ପିତା ଓ ପରିବାର ସଦସ୍ୟଙ୍କୁ ବାଲ୍ୟବିବାହର କୁ-ପରିଣତି ସମ୍ବନ୍ଧେ ବୁଝାଇ ବିବାହ ବନ୍ଦ କରିବା ସହ ନାବାଳିକାକୁ ସୋନପୁର ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରିଥିଲେ।କିଛିଦିନ ପରେ ନାବାଳିକା ସିଡବ୍ଲ୍ୟୁସିରୁ ଫେରିବା ପରେ ପରିବାର ଲୋକେ ତାର ବିବାହ କରିଦେଇଥିଲେ।ଦ୍ଵିତୀୟ ଘଟଣା ଘଟିଥିଲା ଏହି ଥାନା ଅନ୍ତର୍ଗତ ବରକାନି ଗ୍ରାମରେ।ବରକାନିର ଜଣେ ୧୭ ବର୍ଷୀୟା ନାବାଳିକାର ବିବାହ ଖୁଣ୍ଟବନ୍ଧ ନିବାସୀ ପୂର୍ଣ୍ଣଚନ୍ଦ୍ର ବିଶିଙ୍କ ସହିତ ହେଉଥିବା ଜଣାପଡିବା ପରେ ଆଇସିଡିଏସ ତରଫରୁ ବୁଝାସୁଝା କରି ବିବାହ ବନ୍ଦ କରାଯାଇଥିଲା ହେଲେ ଏଠାରେ ମଧ୍ୟ ପରେ ଲୁଚାଛପାରେ ବିବାହ ସମ୍ପନ୍ନ କରାଯାଇଥିଲା।ଏହି ଦୁଇଜଣ ନାବାଳିକା ଗର୍ଭବତୀ ହେବାପରେ ଯେତେବେଳେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକୃତ କରାଇଲେ ସେତେବେଳେ ଘଟଣା ପ୍ରଘଟ ହୋଇଥିଲା।ଅଙ୍ଗନବାଡି କର୍ମୀ ନାବାଳିକା ଗର୍ଭବତୀ ହେବା ସମ୍ବନ୍ଧେ ସିଡିପିଓ ଶ୍ରୀମତୀ ଦୋରାଙ୍କୁ ରିପୋର୍ଟ କରିଥିଲେ।ତତ୍କାଳୀନ ସୋନପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେଙ୍କ ନିର୍ଦେଶରେ ସିଡିପିଓ ତରଭା ଥାନାରେ ଏତେଲା ଦେଇଥିଲେ।ଏସମ୍ବନ୍ଧେ ଥାନା କେଶ ନମ୍ବର ୧୫୫ ଓ ୧୫୭ ତାରିଖ ୨୬/୬/୨୨ ଦଫା ୩୭୬(୨)(୩) ସେକ୍ସନ ପୋକସୋ ଆକ୍ଟରେ ଦୁଇଟି ମାମଲା ରୁଜ୍ଜୁ କରି ଏସଆଇ ଯଯାତି କେଶରୀ ସାହୁ ଓ ଆଇଆଇସି ସୁବ୍ରତ ପାଣିଗ୍ରାହୀ ତଦନ୍ତ ଦାୟିତ୍ବ ନେଇଥିଲେ।ଆଇସିଡିଏସ ତରଫରୁ ଘଟଣାର ତନାଘନା ହେଉଥିବା ଜାଣି ନାରାୟଣ ବାଗ ଓ ପୂର୍ଣ୍ଣଚନ୍ଦ୍ର ବିଶି ତାମିଲନାଡୁକୁ ପଳାଇଥିଲେ।ଏମାନେ ତାମିଲନାଡୁରୁ ଫେରିଥିବା ଜଣାପଡିବା ପରେ ଶନିବାର ସକାଳେ ପୋଲିସ ଉଭୟ ଗ୍ରାମରେ ଚଢ଼ାଉ କରି ଦୁଇ ଯୁବକଙ୍କୁ ଧରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ