ବେଲଗୁଣ୍ଠାରେ ବାରମ୍ବାର ଅଘୋଷିତ ବିଦୂତ କାଟ, ବଢୁଛି ଜନ ଅସନ୍ତୋଷ


ବେଲଗୁଣ୍ଠା, 01/08,ଦୀର୍ଘ ଏକ ମାସ ହେବ ଯାନ୍ତ୍ରିକ ତ୍ରୁଟି ଏବଂ ବିଦ୍ୟୁତ୍ ଲାଇନ୍ ସଜାଡିବା ନାମରେ ବେଲଗୁଣ୍ଠା ସହରରେ ବାରମ୍ବାର ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ହେଉଛି I ଯାହାଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା ଚାଲିଥିବା ବେଳେ କୌଣସି ପୂର୍ବ ସୂଚନା ନଥାଇ ସକାଳ ପାଞ୍ଚଟାରୁ ଦିନ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହେଉଛି I ଫଳରେ କୋମଳମତି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହିତ ଅଭିଭାବକ ମହଲରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଉଛି I ଏକ ମାସ ମଧ୍ୟରେ ପ୍ରାୟ ସାତରୁ ଆଠ ଥର ଯାନ୍ତ୍ରିକ ତ୍ରୁଟି, ଏଗାର କେଭି ଏବଂ ତେତିଶି କେଭି ସଜାଡ଼ିବା କୌଣସି ସୁଚନା ବିନା ସକାଳ ପ୍ରାୟ ସାତ ଆଠ ଘଣ୍ଟା ଧରି ବିଦ୍ୟୁତ୍ କାଟ ହେଉଛି I ଏନେଇ ବିଭାଗକୁ ପଚାରିଲେ ଲାଇନ୍ ସଜଡ଼ା ଯାଉଥିବା ବାହାନା କରୁଛନ୍ତି I ଚଳିତ ସପ୍ତାହରେ ଏହିଭଳି ତିନି ଥର ବିଦ୍ୟୁତ୍ କାଟ ହେଲାଣି I ବର୍ତ୍ତମାନ ଜଳ ଯୋଗାଣ ବିଭାଗ ତରଫରୁ ସକାଳ ଛଅଟାରୁ ସହରବାସୀଙ୍କୁ ଜଳ ଯୋଗାଣ ଆରମ୍ଭ ହେଉଛି I କିନ୍ତୁ ସକାଳ ପାଞ୍ଚଟାରୁ ବିଦ୍ୟୁତ୍ କାଟ ହେଉଥିବା ଯୋଗୁଁ ଲୋକେ ଜଳ ସଂଗ୍ରହ କରି ନପାରି ଲୋକେ ପିଇବା ପାଣି ନପାଇବା ସହିତ ଗାଧୁଆପାଧୁଆ ଏବଂ ରୋଷେଇ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଆଜି ମଧ୍ଯ କୌଣସି ସୂଚନା ନଥାଇ ସକାଳ ପାଞ୍ଚଟାରୁ ବିଦ୍ୟୁତ୍ କାଟ ହୋଇଥିଲା I ପ୍ରାୟ ଆଠ ଘଣ୍ଟା ପରେ ଦିନ ଗୋଟାଏ ପରେ ବିଦ୍ୟୁତ୍ ଆସିଥିଲା I ଏନେଇ ଆଜି ବିଭାଗୀୟ କର୍ମଚାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ ମାନେ କାହାର ଫୋନ୍ ଉଠାଇନଥିବା ସହରବାସୀ ଅଭିଯୋଗ କରିଥିଲେ I ପରେ ବିଭାଗ ତରଫରୁ ଜଣା ପଡ଼ିଥିଲା ଯେ ଆଜି ଏକ ତେତିଶି କେଭି ସଜଡ଼ା ଯାଇଥିଲା I ତେବେ ସବୁବେଳେ ଯାନ୍ତ୍ରିକ ତ୍ରୁଟି ସଜାଡ଼ିବା ନାମରେ ଯେଉଁ ବିଦ୍ୟୁତ୍ କଟା ଯାଉଛି ଏହାର ସୁଫଳ କେବେ ଲୋକଙ୍କୁ ମିଳିବ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି I ଘରୋଇ କମ୍ପାନିକୁ ଅନୁକମ୍ପା ଦେଖାଇବା ପାଇଁ ମିଛ ବାହାନା କରି ବିଦ୍ୟୁତ୍ କାଟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିବା ସହିତ ଏନେଇ ଉଚ୍ଚ କର୍ତ୍ତୁପକ୍ଷ ତଦନ୍ତ କରିବା ଉଚିତ୍ ବୋଲି ସହରବାସୀ ଦାବୀ କରିଛନ୍ତି I