ବାହାରିଲା ନୂଆଁଖାଇ ଶୁଭଲଗ୍ନ, ସେପ୍ଟେମ୍ବର ୮ରେ ନବାନ୍ନ ଲାଗି


ବଲାଙ୍ଗୀର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ବାହାରିଲା ଶୁଭଲଗ୍ନ । ବଲାଙ୍ଗିର ଜିଲ୍ଲା ପାଇଁ ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ବାହାର କରିଛି ନୂଆଁଖାଇ ଲଗ୍ନ । 

ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲଗାଇ ନୂଆ ଖାଇବେ ସମସ୍ତେ । ସେଥିପାଇଁ ୮ ତାରିଖ ରବିବାର ସକାଳ ୯ଟା ୩୫ରୁ ୧୦ଟା ୭ ଭିତରେ ନବାନ୍ନ ଲାଗି ପାଇଁ ଲଗ୍ନ ସମୟ ନିର୍ଦ୍ଧାରିତ ହୋଇଛି ।

ପ୍ରଥମେ ଇଷ୍ଟଦେବୀଙ୍କୁ ଲଗ୍ନପତ୍ର ଦେବା ପରେ ଗାଁ ଗାଁକୁ ପ୍ରେରଣ କରାଯିବ । ପରେ ଆରମ୍ଭ ହୋଇଯିବ ନୂଆଁଖାଇ ପାଇଁ ପ୍ରସ୍ତୁତି । ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣ ପର୍ବ ହୋଇଥିବାରୁ ପରିବାର ସଦସ୍ୟ ଯିଏ ଯେଉଁଠି ଥିଲେ ବି ଘରମୁହାଁ ହୋଇଥାଆନ୍ତି ।

ନୂଆଁଖାଇରେ ସମସ୍ତେ ମିଶି ଏକାଠି ନୂଆ ଖାଇଥାନ୍ତି । ପରେ ଆରମ୍ଭ ହୁଏ ଭେଟଘାଟ କାର୍ଯ୍ୟକ୍ରମ । ଘରର ବଡମାନଙ୍କୁ ଜୁହାର କରି ଆଶୀର୍ବାଦ ନିଅନ୍ତି ସମସ୍ତ । ଏହି ପର୍ବକୁ ବେଶ୍‌ ଉତ୍ସାହର ସହ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଇଥିବା ବେଳେ ଘରେ ଘରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧିଥାନ୍ତି ।

ଏନେଇ ରାଜପୁରୋହିତ କହିଛନ୍ତି, ନୂଆଁଖାଇ ହେଉଛି ଆମ ଗଣପର୍ବ, ଭାଇଚାରାର ପର୍ବ । ନିୟମ ଅଛି ଆମର ନୂଆ ଫସଲ ହେଲେ ଦେବାଦେବୀଙ୍କ ନିକଟରେ ଲାଗି କରାଯାଇଥାଏ । ତେଣୁ ଅମୃତ ବେଳାରେ ନୂଆ ଫସଲକୁ ଦେବାଦେବୀଙ୍କ ନିକଟରେ ଲାଗି କରାଯିବ । ଲଗ୍ନ ଧାର୍ଯ୍ୟ ହେବା ପରେ ଏନେଇ ଆମେ ରାଜାଙ୍କୁ ଅବଗତ କରିବୁ । ରାଜା ଏହାକୁ ଅନୁମୋଦନ କରିବେ । ପରେ ଘୋଷଣାପତ୍ର ଛପାଯାଇ ଗାଁ ଗାଁ ପଠାଯିବ । ଏହାଦ୍ୱାରା ଅମୃତ କାଳରେ ନୂଆ ଫସଲ ଦେବାଦେବୀଙ୍କ ନିକଟରେ ଅର୍ପଣ କରିବାକୁ ସେ ରାଜ୍ୟ ସାରା ଲୋକଙ୍କୁ ଅବଗତ କରାଇଥାନ୍ତି ବୋଲି କହିଛନ୍ତି ରାଜ ପୁରୋହିତ ।