Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣାରେ ଏସ୍ ଟି ଏସ୍ ସି ଅଧିକାର ସୁରକ୍ଷା ମହାସଂଘ କଳାହାଣ୍ଡିର “ଭାରତ ବନ୍ଦ” ; ଯାତାୟତ ଠପ୍ ଜନଜୀବନ ଅସ୍ତବ୍ୟସ୍ତ

କଳାହାଣ୍ଡି, ୨୨/୦୮ (ଜଗନ୍ନାଥ ନାଏକ) : ଚଳିତ ଅଗଷ୍ଟ ମାସ ୧ ତାରିଖ ଦିନ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ମାମଲାର ବିଚାରକରି ଏସ୍ ଟି ଏସ୍ ସି ଆରକ୍ଷଣ ଉପରେ ନିଜର ମତାମତ ଦେବା ମହଙ୍ଗା ପଡିଛି। ଏହାର ପ୍ରତିବାଦରେ ସମଗ୍ର ଦେଶରେ ଏସ୍ ସି ଏସ୍ ଟି ଲୋକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ଦେଖାଦେବା ସହ ୨୧ ତାରିଖ ଦିନ “ଭାରତ ବନ୍ଦ”ଡାକରା ଦିଆଯାଇଥିଲା। ସୁପ୍ରିମକୋର୍ଟ ତାଙ୍କ ୭ ଜଣିଆ ବେଞ୍ଚ ରେ ଏସ୍ ଟି ଏସ୍ ସି ଆରକ୍ଷଣରେ ଉପବର୍ଗୀକରଣ ଓ କ୍ରିମୀଲେୟର ବ୍ୟବ‌ସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇ ପାରିବେ ବୋଲି ମନ୍ତବ୍ୟ ଦେବା ପରେ ବିବାଦୀୟ ସ୍ଥିତି ଉପୁଜି ଥିଲା । ତେଣୁ ଏହାର ପ୍ରତିବାଦରେ ଉପରୋକ୍ତ ସମାଜର ବିଭିନ୍ନ ସାମାଜିକ ସଂଗଠନ “ଭାରତ ବନ୍ଦ” ଡାକରା ଦେଇଥିଲେ । ଏହାର ସମର୍ଥନ କରି କଳାହାଣ୍ଡି ଜିଲ୍ଲା ଏସ୍ ଟି ଏସ୍ ସି ଅଧିକାର ସୁରକ୍ଷା ମହାସଂଘ ପକ୍ଷରୁ ମଧ୍ୟ କଳାହାଣ୍ଡିରେ ବନ୍ଦ୍ ଡାକରା ଦିଆଯାଇଥିଲା। ଯଦ୍ବାରା କଳାହାଣ୍ଡି ଜିଲ୍ଲାର ସଦରମହକୁମା ଭବାନୀପାଟଣା ସହର ସମେତ କେସିଙ୍ଗା, ଜୁନାଗଡ଼, ଧର୍ମଗଡ, ଜୟପାଟଣା, କୋକସରା, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ନର୍ଲା, ଗୋଲାମୁଣ୍ଡା, କର୍ଲାମୁଣ୍ଡା, କଲମପୁର, ଥୁଆମୂଳ ରାମପୁର ବ୍ଳକ ତଥା ଗ୍ରାମାଞ୍ଚଳରେ ଏହି ବନ୍ଦ ର ଗଭୀର ପ୍ରଭାବ ଦେଖିବାକୁ ମିଳିଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥ ତଥା କେସିଙ୍ଗା ରୁ ଜୟପୁର କୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବିଶେଷକରି ଭବାନୀପାଟଣା ସହରରେ ଜରୁରୀ କାଳୀନ ସ୍ଵାସ୍ଥ୍ୟସେବା କୁ ଛାଡି ବାକି ସମସ୍ତ ବ୍ୟବସାୟ ବାଣିଜ୍ୟ, ଗମନାଗମନ, ସରକାରୀ ଓ ବେସରକାରୀ ସଂସ୍ଥା ଓ ଅନୁଷ୍ଠାନ ଗୁଡ଼ିକ ଅଚଳ ହୋଇ ଯାଇଥିଲା। ସହରରେ ଏହି ବନ୍ଦ ବେଳେ କୌଣସି ପ୍ରକାର ବିଶୃଙ୍ଖଳା କିମ୍ବା ଅପ୍ରୀତିକର ସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପୋଲିସ ପ୍ରଶାସନ ସତର୍କ ରହିଥିଲେ ।‌ଶାନ୍ତିଶୃଙ୍ଖଳା ସହିତ ଦଳିତ ଆଦିବାସୀ ପଛୁଆ ବର୍ଗର ଲୋକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସରକାର ତଥା ସୁପ୍ରିମକୋର୍ଟକୁ ନିଜର ପ୍ରତିବାଦ ଜଣାଇଥିଲେ। ମୂଖ୍ୟତଃ ସହରର ପ୍ରବେଶ ଦ୍ଵାର କଲେଜ ଛକ, ଦୟାନିଧି ଛକ, ଘୋଡାଘାଟ ଛକ, ଡାକ୍ତରଖାନା ଛକ ଓ ନକଟିଗୁଡା ଛକରେ ବନ୍ଦ ପାଳନ ଜୋରଦାର ହୋଇଥିଲା। ଜିଲ୍ଲାର ବ୍ଳକ ମୁଖ୍ୟାଳୟରେ ମଧ୍ୟ ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିଥିଲା। ଭବାନୀପାଟଣା ସହରରେ ଏହି ମହାସଂଘର ଜିଲ୍ଲା ସଭାପତି ପ୍ରକାଶ ମାଝୀ ଙ୍କ ସମେତ ସୂର୍ଯ୍ୟ ନାରାୟଣ କୁମାର, କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ଧର୍ମେନ୍ଦ୍ର ନାଏକ, ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ, ବସନ୍ତ ନାଏକ, ରାମହରି ନାଏକ, ଗଜମନ ନାଏକ, ନାରାୟଣ କୁମାର ଏଓଏସସିଏଫ୍ ମହାସଚିବ, ନବକିଶୋର ମାଝୀ, ସୁରେଶ ମାଝୀ, ପରମାନନ୍ଦ ମାଝୀ ସେହିପରି ଲିଙ୍ଗରାଜ ଆଜାଦ୍, ଭୀମ ଆର୍ମୀ ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ଜଗନ୍ନାଥ ନାଏକ, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ସଞ୍ଜୟ ସୁନାନୀ, ଚନ୍ଦନ ନାଏକ, ଅଗଷ୍ଟ ନାଏକ, ଦୟାନିଧି ନାଏକ, ସଞ୍ଜୟ ମେହେର, ପାଣ୍ଡବ ମେହେର, ପୃଥ୍ୱୀରାଜ ଛତ୍ରିଆ, ଦେବେନ୍ଦ୍ର କୁମାର ନାଏକ, ଦେବୀ ପ୍ରସାଦ ସିନ୍ଦୁର ରିଙ୍କୁ ନାଏକ, ବିନୋଦ ବିହାରୀ ଦୁର୍ଗା , ଲମ୍ବୋଦର ନାଏକ ଙ୍କ ସମେତ ବହୁ ଶତାଧିକ ନେତୃବର୍ଗ ସକ୍ରିୟ ଭାବେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ