Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଙ୍ଗା ଗୁଜବକୁ ବିଶ୍ବାସ ନକରିବାକୁ ପ୍ରଶାସନର ପରାମର୍ଶ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲାରେ ପୁଣି ଏକ ଦଙ୍ଗା ଗୁଜବକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ଜନ ସଚେତନତା ଓ ବୈଠକ କରି ଲୋକଙ୍କୁ ଗୁଜବରୁ ଦୁରେଇ ରହିବା ସହ ଭୟଭୀତ ନହେବାକୁ ନିବେଦନ କରା ଯାଇଛି। ଏହି କ୍ରମରେ କ.ନୂଆଗାଁ ଥାନା ପକ୍ଷରୁ ମଧ୍ୟ ଲୋକ ପ୍ରତିନିଧି , ବୁଦ୍ଧିଜୀବୀ ଓ ଉଭୟ ସଂପ୍ରଦାୟଙ୍କୁ ନେଇ ଥାନା ପରିସରରେ ଏକ ବୈଠକ କରାଯିବା ସହ ଦଙ୍ଗା ଗୁଜବକୁ ବିଶ୍ବାସ ନକରିବା ପାଇଁ ପ୍ରଶାସନିକ ଅଧିକାରୀ ପରାମର୍ଶ ଦେଇଥିଲେ । ଏହା ସହ ସଚେତନତା ବାର୍ତ୍ତା ଗାଁ ଗାଁ’ରେ ଡ଼ାକ ବାଜି ଯନ୍ତ୍ରରେ ପୋଲିସ ପକ୍ଷରୁ ନିର୍ଭୟରେ ରହିବାକୁ କୁହାଯାଉଛି। ଗତ କିଛି ଦିନ ହେଲା ଦଙ୍ଗାକୁ ନେଇ ଗୁଜବ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ହେବା ଫଳରେ ଉଭୟ ସଂପ୍ରଦାୟଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଶାନ୍ତି ବଜାୟ ରଖିବା ସହ ଉଭୟ ସମ୍ପ୍ରଦାୟର ଲୋକେ ଏଭଳି ଗୁଜବରେ ବିଶ୍ବାସ ନ କରିବା ପାଇଁ କ.ନୂଆଗାଁ ତହସିଲଦାର ରାମକୃଷ୍ଣ ମିଶ୍ର ପରାମର୍ଶ ଦେବା ସହ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ କେହି ଅସାମାଜିକ ବ୍ୟକ୍ତି ଏଭଳି ଗୁଜବ ସୃଷ୍ଟି କରି ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରିଛି ବୋଲି ଲୋକଙ୍କୁ ବୁଝାଇ କହିଥିଲେ। ଏହି ବୈଠକରେ କ.ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ, ଥାନା ଏସ୍‌ଆଇ ଅଶୋକ କୁମାର ତ୍ରିପାଠୀ, ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ପଞ୍ଚାୟତ ଅଞ୍ଚଳର ଖ୍ରୀଷ୍ଟ ଧର୍ମ ଏବଂ ହିନ୍ଦୁ ଧର୍ମର କର୍ମକର୍ତ୍ତା ମାନେ ଯୋଗ ଉପସ୍ଥିତ ଥିଲେ।