ଅବ୍ୟବସ୍ଥା ଘେରରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର : ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ କାହିଁକି ?


କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ଶିକ୍ଷାର ବିକାଶ ଓ ଉପଯୁକ୍ତ ଶିକ୍ଷା ପାଇଁ କୋମଳମତି ଶିଶୁ ଓ ଛାତ୍ରଛାତ୍ରୀଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମସ୍ତ ବ୍ୟବସ୍ଥା କରି ଆସୁଛନ୍ତି । ତଥାପି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୋମଳମତି ଶିଶୁ ଓ ଛାତ୍ରଛାତ୍ରୀ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବଜାର ନିକଟରେ ଥିବା ହାଟପଦା ଅଙ୍ଗନବାଡି କେନ୍ଦ୍ରରେ । ଏହା କେବଳ ନାଁକୁ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ହୋଇରହିଛି । ଅଙ୍ଗନବାଡି କେନ୍ଦ୍ରରେ ୩୦ ରୁ ଅଧିକ ଶିଶୁ ପାଠ ପଢୁଛନ୍ତି । ଅନେକ ବର୍ଷ ପରେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରକୁ ରାସ୍ତାଟିଏ ହୋଇପାରୁନି । ଯାତାୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଏହି କେନ୍ଦ୍ର ଚାରି ପଟେ ଲଟା ବୁଦା ଭର୍ତ୍ତି ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବଂ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ପୂର୍ବରୁ ବାରମ୍ବାର ରାସ୍ତା ପାଇଁ ପ୍ରଶାସନିକ ସ୍ତରରେ ଅଭିଯୋଗ ହୋଇଥିଲେ ମଧ୍ୟ ରାସ୍ତାଟିଏ ହୋଇପାରୁନି । ଅନ୍ୟପଟେ ବିପଦପୂର୍ଣ୍ଣ ଲଟା ବୁଦା ରାସ୍ତାରେ ଅଧିକାଂଶ ସମୟରେ ସାପ ବିଚରଣ କରୁଥିବାରୁ କୋମଳମତି ଶିଶୁଙ୍କ ପାଇଁ ବିପଦ ରହିଥିବାରୁ ଚିନ୍ତାରେ ପଡୁଛନ୍ତି ଅଭିଭାବକ । ଅଙ୍ଗନବାଡି କେନ୍ଦ୍ରରେ ରାସ୍ତା ନଥିବା ଘଟଣାକୁ ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ତୁରନ୍ତ ରାସ୍ତା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।