ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା
ବାଲିଗୁଡ଼ା, ତା, ୧୯/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣୀ ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ଉଚ୍ଚଶବ୍ଦରେ ଦୀର୍ଘ ସମୟ ଧରି ଡିଜେ ବାଜିବା ଯୋଗୁଁ ବୟସ୍କ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିମାନେ ବିଶେଷ ଭାବେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ହୃଦ୍ରୋଗୀ ଓ ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ଅତ୍ୟଧିକ ଶବ୍ଦ ଅଡୁଆ ସୃଷ୍ଟି କରୁଛି। ଡିଜେର ପ୍ରଚଣ୍ଡ ଶବ୍ଦ ଯୋଗୁଁ ମାନସିକ ଚାପ, ଅସ୍ଥିରତା ଓ ନିଦ୍ରାରେ ବ୍ୟାଘାତ ଭଳି ସମସ୍ୟା ଦେଖାଦେଉଥିବାରୁ ରୋଗୀଙ୍କ ପରିବାର ଚିନ୍ତା ପ୍ରକାଶ କରୁଛନ୍ତି। ଅନ୍ୟପଟେ ମେଡିକାଲ ଓ ହସ୍ପିଟାଲ ନିକଟରେ ମଧ୍ୟ ଉଚ୍ଚଶବ୍ଦରେ ଡିଜେ ବାଜିବା ନେଇ ଅସନ୍ତୋଷ ବଢ଼ିଛି। ଚିକିତ୍ସାଧୀନ ରୋଗୀଙ୍କ ଆରାମ ଓ ନିରବ ପରିବେଶ ଆବଶ୍ୟକ ଥିବା ବେଳେ ଏଭଳି ଶବ୍ଦ ପରିବେଶ ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଥିବା ମତ ପ୍ରକାଶ ପାଉଛି। ବାଲିଗୁଡା ସହରର ବିଭିନ୍ନ ଅଞ୍ଚଳରେ ଡିଜେର ଶବ୍ଦସୀମା ଓ ସମୟସୀମା ଉପରେ କଡ଼ା ନଜର ରଖିବା ସହ ହସ୍ପିଟାଲ, ସ୍କୁଲ ଓ ଜନବସତି ନିକଟରେ ଉଚ୍ଚଶବ୍ଦର ଡିଜେ ବ୍ୟବହାର ରୋକିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ଓ ପୁଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି।

