Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର ପାରିରେ ସମସ୍ତଙ୍କ ପ୍ରିୟ ରାମସାର , ବିଭିନ୍ନ ମହଲରେ ଶୋକ

ବେଲଗୁଣ୍ଠା,04/09, ଆଉ ନାହାଁନ୍ତି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଡିଗ୍ରୀ ମହାବିଦ୍ୟାଳୟର ଇଁରାଜୀ ବିଭାଗ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ତଥା ଛାତ୍ର ଛାତ୍ରୀଙ୍କ ପ୍ରିୟ ରାମ ସାର୍ I ଆଜି ଭୋର୍ ସମୟରେ ତାଙ୍କର ମାତ୍ର 50 ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି I ଗୁରୁ ଦିବସର ମାତ୍ର ଦିନଟିଏ ପୂର୍ବରୁ ଜଣେ ଛାତ୍ରବତ୍ସଳ ଗୁରୁଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ସୂଚନା ପ୍ରକାରେ ମଙ୍ଗଳବାର ବିଳମ୍ବିତ ରାତିରେ ରାମଚନ୍ଦ୍ର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ I ଭୋର୍ ସମୟରେ ତାଙ୍କୁ ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା I ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ I ଏନେଇ ରାମଚନ୍ଦ୍ରଙ୍କ ସହକର୍ମୀ ଗାଙ୍ଗପୁର ଥାନାରେ ଏତାଲା ଦେବା ପରେ ଗାଙ୍ଗପୁର ପୋଲିସ୍ ଭଞ୍ଜନଗର ମେଡ଼ିକାଲ୍ ରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା I ରାମଚନ୍ଦ୍ରଙ୍କ ମର ଶରୀର ତାଙ୍କର କ୍ଷତ୍ରିୟବରପୁର ସ୍ଥିତ ବାସ ଭବନରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I ସେଠାରୁ ଏକ ସ୍ଵତନ୍ତ୍ର ଗାଡ଼ିରେ ବିରାଟ ଶୋଭାଯାତ୍ରାରେ ରାମଚନ୍ଦ୍ରଙ୍କର ଶବକୁ ତାଙ୍କର କର୍ମ ଭୂମି କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟ ଏବଂ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟ ପରିସରକୁ ନିଆଯାଇଥିଲା I ସେଠାରେ ଶହ ଶହ ଛାତ୍ରଛାତ୍ରୀ ଏବଂ ସହକର୍ମୀ ରାମଚନ୍ଦ୍ରଙ୍କ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ସେଠାରେ ଛାତ୍ରଛାତ୍ରୀ ଏବଂ ସହକର୍ମୀଙ୍କ କାନ୍ଦବୋବାଳିର ଦୃଶ୍ୟ ଅତି ହୃଦୟ ବିଦାରକ ଥିଲା I ରାମ ସାର୍ ଅମର ରହେ ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା I ସେଠାରୁ ତାଙ୍କ ମର ଶରୀରକୁ ତାଙ୍କ ପୈତୃକ ଗ୍ରାମ କରାଗାଡ଼ିଆକୁ ନିଆଯାଇ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା I ରାମଚନ୍ଦ୍ର ଜଣେ ଦକ୍ଷ ଇଁରାଜୀ ଅଧ୍ୟାପକ ଭାବେ ଅଞ୍ଚଳରେ ବେଶ୍ ସୁନାମ ଅର୍ଜନ କରିବା ସହିତ ହଜାର ହଜାର ଉତ୍ତମ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଥିଲେ I ଛାତ୍ରଛାତ୍ରୀଙ୍କ ସହିତ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ଠାରୁ ନିଆରା ଥିଲା I ରାମଚନ୍ଦ୍ର ବୃତ୍ତିରେ ଜଣେ ଅଧ୍ୟାପକ ଥିଲେ ମଧ୍ୟ ସେ ନିଖିଳ ଉତ୍କଳ ଆଳିୟ ଖଣ୍ଡାୟତ ସମାଜ ନେଟଙ୍ଗା ମଣ୍ଡଳର ପୂର୍ବତନ ସମ୍ପାଦକ,ଜାତୀୟ ସେବା ଯୋଜନା ଅଧିକାରୀ ଏବଂ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂରାତନ ଛାତ୍ରସଂସଦ କୋଷାଧ୍ୟକ୍ଷ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦାୟିତ୍ୱ ତୁଲାଇ ଆସୁଥିଲେ I ସେ କ୍ଷତ୍ରିୟବର ସ୍ଥିତ ଉଭୟ ମହାବିଦ୍ୟାଳୟରେ 20 ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ଅଧ୍ୟାପନା କରି ଆସୁଥିଲେ I ସ୍ଵର୍ଗତ ରାମଚନ୍ଦ୍ର ବେଣୀପଲ୍ଲୀ ପଂଚାୟତର କରାଗାଡିଆ ଗ୍ରାମରେ 1974 ମସିହାରେ ଜନ୍ମ ଗ୍ରହଣ କରିଥିଲେ I ତାଙ୍କ ଧର୍ମପତ୍ନୀ କନକ ମଞ୍ଜରୀ ନାୟକ ବର୍ତ୍ତମାନ ନୁଣିପଡ଼ା ଶାସନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁ ଥିବା ବେଳେ ଏକ ମାତ୍ର ପୁଅ ଶୁଭାଶିଷ୍ (ପିକୁ) ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଯୁକ୍ତ ତିନି ଶ୍ରେଣୀରେ ଅଧ୍ୟୟନ କରୁଛି I ଆଜି ରାମଚନ୍ଦ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ,ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକ, ଉଭୟ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ପୁରାତନ ଛାତ୍ର ସଂସଦ ଉପସଭାନେତ୍ରୀ ଆରତୀ ପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ଆଳୀୟ ଖଣ୍ଡାୟତ କୂଳାଧିପତି ପ୍ରହଲ୍ଲାଦ ଲେଙ୍କା, ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା,ସମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇ,ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଶହ ଶହ ଛାତ୍ରଛାତ୍ରୀ ରାମଚନ୍ଦ୍ରଙ୍କ ଅନ୍ତିମ ଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରିଥିଲେ I ରାମଚନ୍ଦ୍ରଙ୍କ ପୁଅ ଶୁଭାଶିଷ୍ (ପିକୁ) ମୁଖାଗ୍ନି ଦେଇଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ