Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜକୋଟରୁ ଫେରିଲା ଦାଦନ ଶ୍ରମିକର ଶବ : ନୂଆଖାଇ ଦିନ ଶୋକରେ ଭାସିଲା ମୁଣ୍ଡାଗାଁ

କଳାହାଣ୍ଡି, ୦୮/୦୯- ପାଞ୍ଚ ଦିନ ପରେ ଗାଁକୁ ଫେରିଛି ଦାଦନ ଶ୍ରମିକର ଶବ। ନୂଆଖାଇ ଭଳି ଦିନରେ ଗାଁକୁ ଶବ ଫେରିଥିବାବେଳେ ସାରା ଗାଁରେ ଦେଖିବାକୁ ମିଳିଛି ଶୋକାକୁଳ ପରିବେଶ। ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଶବଦାହ କରାଯାଇଛି। ଏଭଳି ଏକ ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଞ୍ଚାୟତ ମୁଣ୍ଡାଗାଁରେ। ଏହି ଗାଁର ଚୈତନ୍ୟ ବିଶି କିଛି ମାସ ତଳେ ନିଜ ପରିବାର ସହିତ ଗୁଜୁରାଟର ରାଜକୋଟକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ କାମ କରୁଥିବାବେଳେ ସେ ଅସୁସ୍ଥ ହେବା ସହ ଗୁରୁତର ହୋଇପଡ଼ିଥିଲେ। ସେ କାମ କରୁଥିବା ଠିକାଦାର ଟାଙ୍କୁ ଟ୍ରେନ ଟିକେଟ କାଟି ଘରକୁ ଯାଅ ବୋଲି କହିଥିଲେ। କିନ୍ତୁ ଟ୍ରେନରେ ହିଁ ଚୈତନ୍ୟଙ୍କ ମୃତ୍ୟୁ ଘଟିଥିଲା। ରେଳ ବିଭାଗ ତାଙ୍କ ଶବକୁ ନେଇ ରାଜକୋଟ ସୁରେନ୍ଦ୍ର ନଗରସ୍ଥିତ ଗାନ୍ଧୀ ସ୍ମାରକ ହସ୍ପିଟାଲରେ ରଖାଇ ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳଙ୍କ ସହିତ ଯୋଗାଯୋଗ କରି ଜିଲ୍ଲା ଶ୍ରମ ବିଭାଗର ସହାୟତା ଲୋଡ଼ିଥିଲେ। ତାଙ୍କ ପରାମର୍ଶରେ ଶିକ୍ଷକ ତଥା ସମାଜସେବୀ ବିଭୁତିଭୂଷଣ ତାଣ୍ଡି ଓ ମୃତକଙ୍କ ଭାଇ ଲିଙ୍ଗରାଜ ବିଶି ଜିଲ୍ଲାପାଳ ଓ ଶ୍ରମ ବିଭାଗ ସହିତ ଯୋଗାଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରାଯାଇଛି। ଅପରପକ୍ଷରେ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ମହାସଚିବ ସୂର୍ଯ୍ୟ ନାରାୟଣ କୁମାରଙ୍କ ନେତୃତ୍ୱରେ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ତେବେ ରାଜକୋଟରୁ ଶବ ନେଇ ବାହାରିଥିବା ଆମ୍ବୁଲାନ୍ସ ଆଜି ଅପରାହ୍ନରେ ଗାଁରେ ପହଞ୍ଚିଥିବାବେଳେ ଗାଁ ମଶାଣିରେ ଆଜି ଶେଷକୃତ୍ୟ କରାଯାଇଛି। ସୂଚନାଯୋଗ୍ୟ, ସପ୍ତାହକ ତଳେ ଏହି ବ୍ଲକର ମାଳିଯୁବାଙ୍ଗ ପଞ୍ଚାୟତ ଦୋରାସାର୍ଲି ଗାଁର ଜଣେ ଦାଦନ ଶ୍ରମିକଙ୍କ ମଧ୍ୟ ତାମିଲନାଡୁରେ ମୃତ୍ୟୁ ଘଟିଥିଲା। ଦୀର୍ଘ ଛଅ ଦିନ ପରେ ଗାଁକୁ ଶବ ଫେରିଥିଲା। ଦୁଃଖ ଓ କ୍ଷୋଭର ବିଷୟ ହେଲା, ବ୍ଲକର ଲାଞ୍ଜିଗଡ଼ରେ ବେଦାନ୍ତ ଲିମିଟେଡ଼ର ଏକ ବିରାଟ ଆଲୁମିନା ରିଫାଇନେରୀ ପ୍ଲାଣ୍ଟ ଥିବାବେଳେ ସ୍ଥାନୀୟ ଲୋକେ ଜମି, ଜାଗା, ଭିଟାମାଟି ହରାଇଛନ୍ତି, ଧୂଳି, ଧୂଆଁ ଓ ପ୍ରଦୂଷଣର ଶିକାର ହେଉଛନ୍ତି। ଏହାସତ୍ତ୍ୱେ ବ୍ଲକ ଅଞ୍ଚଳର ହଜାର ହଜାର ଲୋକେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ସେଠାରେ ଅତ୍ୟାଚାରିତ, ନିର୍ଯାତିତ ହେଉଛନ୍ତି, ମୃତ୍ୟୁମୁଖରେ ପଡୁଛନ୍ତି। ଏଣୁ ଲାଞ୍ଜିଗଡରେ ବେଦାନ୍ତ ଲିମିଟେଡ଼ ଥାଇ କେତେ ନଥାଇ କେତେ ବୋଲି ଲୋକେ ନିରାଶା ବ୍ୟକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories