ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ବନ୍ୟା କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ପୋଟେରୁ ପୋଲ ଉପରେ ୫ରୁ ୬ ଫୁଟ୍ ଉଚ୍ଚାରେ ବନ୍ୟା ପାଣି ପ୍ରବାହିତ ହେଉଛି । ସୁଅ ପ୍ରଖର ଥିବାରୁ ପୋଲ ଉପରେ ଯାତାୟାତ ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି ।
ସେହିପରି କାଲିମେଳାରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । MV-90 ଓ MV-96 ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ମାଲକାନଗିରିରୁ କୋରାପୁଟ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବାରୁ ଦୁଇ ଜିଲ୍ଲାକୁ ଯାତାୟତ ସମ୍ଭବ ହୋଇପାରୁନି । ଜିଲ୍ଲାର ପ୍ରବେଶ ପଥ ପାଙ୍ଗମ, ଏମଭି- ୭, ପୋଟେରୁ, ଏମଭି-୯୦, କନ୍ୟା ଆଶ୍ରମ, କାଙ୍କୋର କୋଣ୍ଡା ପରି ଅନେକ ଅଞ୍ଚଳରେ ବୁଡ଼ି ରହିଛି ପୋଲ । ପୋଟେରୁ ସହର ଭିତରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ପଶିଯାଇଛି ।
ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ବର୍ଷା ଦିନରେ ଏପରି ସ୍ଥିତି ଉପୁଜିଥାଏ । ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ । ଲୋକେମାନେ ଖାଇବା ଓ ରହିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ହେଲେ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ୍ ରହିଥାଏ । ସେହି ସମୟରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ସେମାନଙ୍କୁ ରନ୍ଧା ଖାଦ୍ୟ ଦେଇ କାମ ସାରିଦେଇଥାଏ । ହେଲେ ତଳିଆ ଅଞ୍ଚଳର ଲୋକେ କିପରି ବର୍ଷା ଦିନେ ହଇରାଣ ହରକତ ନ ହେବେ ପ୍ରଶାସନ ସେନେଇ କୌଣସି ସ୍ଥାୟୀ ବ୍ୟବସ୍ଥା କରି ନଥାଏ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।