ବିଜେଡି ପାଇଁ କଷ୍ଟକର ପୁରୀ ଲୋକସଭା ଆସନ ! ବିଜେପିରୁ ସମ୍ବିତ ପାତ୍ର, ଏଥର ପିନାକୀଙ୍କୁ ମିଳିବ କି ଟିକେଟ୍ ?


ପୁରୀ: ନିର୍ବାଚନରେ ହାରି ମଧ୍ୟ ଯଦି କେଉଁ ନେତା ନିଜ ନିର୍ବାଚନ ମଣ୍ଡଳୀରେ ସର୍ବଦା ସକ୍ରିୟ ରହୁଛନ୍ତି ସେହି ହାତ ଗଣତି ନେତାଙ୍କ ମଧ୍ୟରୁ ଅନ୍ୟତମ ବିଜେପି ନେତା ସମ୍ବିତ ପାତ୍ର। ସେ ଦଳର ରାଷ୍ଟ୍ରୀୟ ମୁଖପାତ୍ର। ସେ ଗତ ନିର୍ବାଚନରେ ଜଗନ୍ନାଥ ଧାମ ପୁରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ। ଆଉ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ପିନାକୀ ମିଶ୍ରଙ୍କୁ କଡା ଟକ୍କର ଦେଇଥିଲେ। ୧୧ ହଜାର ଭୋଟରେ ପରାଜିତ ହୋଇଥିଲେ ହେଁ ପୁରୀ ସଂସଦୀୟ କ୍ଷେତ୍ରରେ ନିଜସ୍ଵ ସ୍ଵତନ୍ତ୍ର ଛାପ ଛାଡିବାରେ ସଫଳ ହୋଇଛନ୍ତି ସମ୍ବିତ, ଯାହା ତାଙ୍କୁ ଆଗାମୀ ନିର୍ବାଚନରେ ବେଶ ସହାୟକ ହୋଇପାରେ। ଅନ୍ୟପଟେ ପିନାକୀ ମିଶ୍ରଙ୍କ ପ୍ରତି ଜନାଧାର କମୁଥିବା ଜନତାଙ୍କଠୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା।

ନିର୍ବାଚନ ଋତୁ ପାଖେଇବାରେ ଲାଗିଛି। ରାଜନୈତିକ ଦଳ ସକ୍ରିୟ ହେଲେଣି। ପ୍ରାର୍ଥୀ ଚୟନ ପାଇଁ ଅଙ୍କକଷା ଆରମ୍ଭ ହୋଇଗଲାଣି। ବିଶେଷ କରି ରାଜ୍ୟରେ ବିଜେଡି ଏବଂ ବିଜେପି ପରସ୍ପରକୁ ମାତ୍ ଦେବା ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତିରେ ଜୁଟି ଗଲେଣି। କେଉଁ ଆସନରୁ ଯୋଗ୍ୟ ପ୍ରାର୍ଥୀ ଦେଲେ ପ୍ରତିପକ୍ଷଙ୍କୁ ମାତ୍ ଦେଇ ହେବ ସେ ନେଇ ଦଳରେ ଚାଲିଛି ବିଚାର ବିମର୍ଶ। ଓଡିଶାର ୨୧ ଲୋକସଭା ଆସନରୁ ଅନ୍ୟତମ ଚର୍ଚ୍ଚିତ ଆସନ ହେଉଛି ପୁରୀ ଲୋକସଭା। ସମଗ୍ର ବିଶ୍ଵରେ ଜଗନ୍ନାଥ ଧାମ ରୂପେ ପରିଚିତ ପୁରୀ ଶ୍ରୀକ୍ଷେତ୍ର। ତେଣୁ ଭାରତରେ ଏହି ସଂସଦୀୟ କ୍ଷେତ୍ରର ବେଶ ମହତ୍ଵ ରହିଛି। ଏହି ଆସନଟି ବିଜେଡି ଗଡ ଭାବେ ରହି ଆସିଛି। ଦଳ ସ୍ଥାପନା ହେବା ପରଠୁ ବିଜେଡି ପ୍ରତିଟି ନିର୍ବାଚନରେ ପୁରୀ ଲୋକସଭା ଆସନରେ ବାଜିମାତ୍ କରି ଚାଲିଛି। ଏହି ସଂସଦୀୟ କ୍ଷେତ୍ର ଦଳର ଗ଼ଡ ରହି ଆସିଛି। ହେଲେ ଗତ ନିର୍ବାଚନରେ ବିଜେଡି ବହୁ କଷ୍ଟରେ ଜିତିବାରେ ସଫଳ ହୋଇଛି। ଏଠାରେ ବିଜେପିର ବଢୁଥିବା ଭୋଟ୍ ହାରକୁ ନେଇ ଚିନ୍ତିତ ବିଜେଡିର ବଡ ବଡିଆ ନେତା। ବିଜେପି ଏଠାରେ ଗତ ନିର୍ବାଚନରେ ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରାଇ ବଡ ଜୁଆ ଖେଳିଥିଲା। ସମ୍ବିତ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କଠୁ ମାତ୍ର ଏକ ପ୍ରତିଶତ କମ ଭୋଟରେ ହାରିଥିଲେ ସୁଦ୍ଧା ବିଜେପି ପାଇଁ ପୁରୀ ଲୋକସଭା ସିଟ୍ ଜିତିବାର ସମ୍ଭାବନାକୁ ଆହୁରି ମଜବୁତ କରି ପାରିଛନ୍ତି।

୧୯୯୮ ପରଠୁ ଛଅଟି ନିର୍ବାଚନରେ ବିଜେଡି ଜିତି ଆସିଛି। ବ୍ରଜ କିଶୋର ତ୍ରିପାଠୀ ପୁରୀ ଲୋକସଭା ଆସନରୁ ୧୯୯୮, ୧୯୯୯ ଏବଂ ୨୦୦୪ରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଅବଶ୍ୟ ସେତେବେଳେ ବିଜେପି-ବିଜେଡି ମେଣ୍ଟ ସରକାରରେ ଥିଲେ। ୨୦୦୮ରେ ଦୁଇ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେଡି ଟିକେଟରେ ପିନାକୀ ମିଶ୍ର ଜିତି ଆସିଛନ୍ତି। ହେଲେ ନିର୍ବାଚନ ଜିତିବା ପରେ ତାଙ୍କୁ ପୁରୀ ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳେ ନାହିଁ। ପୁରୀର ଯେ କୌଣସି ପ୍ରସଙ୍ଗ ହେଉ ବା ସମସ୍ୟା ତାଙ୍କୁ ଦେଖିବାକୁ ମିଳେ ନାହିଁ। ଅନ୍ୟପଟେ ନିର୍ବାଚନ ହାରି ସୁଦ୍ଧା ବିଜେପି ନେତା ସମ୍ବିତ ପାତ୍ରଙ୍କୁ ସର୍ବଦା ପୁରୀ ସଂସଦୀୟ ଅଞ୍ଚଳରେ ଦେଖିବାକୁ ମିଳୁଛି। ଛୋଟ ମୋଟ କାର‌୍ୟ୍ୟକ୍ରମଠୁ ନେଇ ପର୍ବ ପର୍ବାଣୀରେ ଏବଂ ଲୋକଙ୍କ ସମସ୍ୟା ସମୟରେ ସମ୍ବିତଙ୍କୁ ପୁରୀ ଏବଂ ଏହାର ଅନ୍ତର୍ଗତରେ ଥିବା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି। ତାଙ୍କର ଏମିତି ସକ୍ରିୟ ରହିବା ଦେଖି ଲାଗୁଛି ଯେ, ସମ୍ବିତ ପାତ୍ରଙ୍କୁ ବିଜେପି ଏଥର ପୁନର୍ବାର ପୁରୀ ଲୋକସଭାରୁ ପ୍ରାର୍ଥୀ କରିବ। କାରଣ ସମ୍ବିତଙ୍କ ପରି ବଳିଷ୍ଠ ଚେହେରାଙ୍କୁ ପ୍ରାର୍ଥୀ କରି ବିଜେପି ଗତ ନିର୍ବାଚନ ଜିତି ପାରିନଥିଲେ ହେଁ ବିଜେଡି ପ୍ରାର୍ଥୀଙ୍କୁ ପାଣି ପିଆଇ ଦେଇଥିଲା। ସେମିତିରେ ଏହି ଅଞ୍ଚଳରେ ସମ୍ବିତ ପାତ୍ରଙ୍କ ଲୋକ ସଂପର୍କ ବଢି ଚାଲିଥିବାରୁ ଦଳ ପୁଣି ଥରେ ତାଙ୍କୁ ପ୍ରାର୍ଥୀ କରାଇ ବିଜେଡିକୁ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବା ରାଜୈତିକ ମହଲରେ ଚର୍ଚ୍ଚା।

ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଏବଂ ନୟାଗଡ ଏହି ସାତୋଟି ବିଧାନସଭା ମଣ୍ଡଳୀକୁ ନେଇ ଗଠିତ ଐତିହାସିକ ପୁରୀ ଲୋକସଭା ଆସନ। ଏଥିରୁ ପୁରୀ ଏବଂ ବ୍ରହ୍ମଗିରି ବିଧାନସଭା ମଣ୍ଡଳୀକୁ ବାଦ୍ ଦେଲେ ବାକି ୫ଟିରେ ବିଜେଡି ଜିତିଥିଲେ ହେଁ ଲୋକସଭା ଆସନ ଜିତିବାକୁ ଦଳକୁ ବହୁତ କଷ୍ଟ କରିବାକୁ ପଡିଥିଲା। ୨୦୧୯ ନିର୍ବାଚନରେ ପିନାକୀ ମିଶ୍ର ଏବଂ ସମ୍ବିତ ପାତ୍ରଙ୍କ ମଧ୍ୟରେ ପ୍ରତିଟି ରାଉଣ୍ଡରେ ଏମିତି କଡା ଟକ୍କର ଚାଲିଲା ଯେ କହିବା ମୁସ୍କିଲ ଥିଲା ଯେ ନିର୍ବାଚନ କିଏ ଜିତିବ। କେଉଁ ନିର୍ବାଚନ ମଣ୍ଡଳୀରେ ପିନାକୀ ଆଗରେ ରହୁଥିଲେ ତ ଆଉ କେଉଁଠି ସମ୍ବିତ ପାତ୍ର। ତେବେ ସତ୍ୟବାଦୀ ଅଞ୍ଚଳରୁ ପିନାକୀଙ୍କୁ ନିର୍ଣ୍ଣାୟକ ଭୋଟ୍ ମିଳିବାରୁ ସେ ବିଜୟ ଲାଭ କରିଥିବା କୁହାଯାଏ। ବିଜେଡି ପ୍ରାର୍ଥୀଙ୍କୁ ୫,୩୮, ୩୨୧ ଭୋଟ୍ ମିଳିଥିବା ବେଳେ ସମ୍ବିତ ପାତ୍ରଙ୍କୁ ୫, ୨୬,୬୦୭ ଖଣ୍ଡ ଭୋଟ୍ ମିଳିଥିଲା। ଯଦି ଭୋଟ୍ ପ୍ରତିଶତ ହିସାବରେ ଦେଖିବା ପିନାକୀଙ୍କୁ ୪୭.୪୦ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ସମ୍ବିତଙ୍କୁ ୪୬.୩୭ ପ୍ରତିଶତ ଭୋଟ୍ ମିଳିଥିଲା। ଅର୍ଥାତ ପିନାକୀ ମାତ୍ର ୧.୦୩ ପ୍ରତିଶତ ଅଧିକ ଭୋଟ୍ ପାଇ ବିଜୟୀ ହୋଇଥିଲେ। ତେବେ ଏଠାରେ ବିଜେଡିର ଭୋଟ୍ ପ୍ରତିଶତ ୨.୯୩ ପ୍ରତିଶତ ହ୍ରାସ ଘଟିଥିବା ବେଳେ ବିଜେପିର ୨୫.୬୧ ପ୍ରତିଶତ ବୃଦ୍ଧି ଘଟିଛି। ଯାହା ନିଶ୍ଚିତ ରୂପେ ବିଜେଡି ପାଇଁ ଚିନ୍ତାର କାରଣ ଥିବା ବେଳେ ବିଜେପି ପାଇଁ ଆଶାର କିରଣ। ୨୦୧୯ରେ ଦେଶର ଚତୁର୍ଥ ଧାମ ମଧ୍ୟରୁ ଅନ୍ୟତମ ପୁରୀ ଧାମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। ସମ୍ବିତ ହାରିଥିଲେ ବି ଦଳକୁ ନିରାଶ କରିନଥିଲେ।

ଅନ୍ୟପଟେ ବିଜେଡି ଏଥର ଏହି ଆସନରୁ ପେଶାରେ ଆଇନଜୀବୀ ପିନାକୀଙ୍କୁ ଟିକେଟ୍ ଦେବ ନା ଅନ୍ୟ କୌଣସି ବରିଷ୍ଠ ନେତାଙ୍କୁ ଏଠାରୁ ପ୍ରାର୍ଥୀ କରିବ ତାହା ଦେଖିବା ବାକି ରହିଲା। କାରଣ ପିନାକୀ ମିଶ୍ରଙ୍କ ଏଠାରେ ଜନାଧାର କମିବାରେ ଲାଗିଛି। ସେ ନିଜ ସଂସଦୀୟ କ୍ଷେତ୍ର ପ୍ରତି ଏବଂ ପୁରୀ ଜନତାଙ୍କ ପ୍ରତି ଅଣଦେଖା କରୁଥିବା ଲୋକେ ଅଭିଯୋଗ କରୁଛନ୍ତି। ତେଣୁ ବିଜେଡିକୁ ୨୦୨୪ ଲୋକସଭା ନିର୍ବାଚନରେ ପୁରୀ ଆସନ ଜିତିବା ସେତେଟା ସହଜ ହେବ ନାହିଁ। ଅନ୍ୟପଟେ ବିଜେପି ସମ୍ବିତ ପାତ୍ରଙ୍କୁ ପୁନର୍ବାର ପ୍ରାର୍ଥୀ କରାଇ ନିର୍ବାଚନୀ ବୈତରଣୀ ପାରି ହେବାକୁ ଏବେଠୁ ଲାଗି ପଡିଲାଣି।