ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ହତ୍ୟା ଉଦ୍ୟମ


ଓ୍ବାସିଂଟନ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି । ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳୁଥିବା ବେଳେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ତେବେ ଟ୍ରମ୍ପ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, ତାଙ୍କ ଦେହରେ କୌଣସି ଗୁଳି ବାଜି ନଥିବା ଜଣାପଡ଼ିଛି । କିଛି ଦିନ ତଳେ ମଧ୍ୟ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । 

ସୂଚନା ଅନୁସାରେ, ରବିବାର ମଧ୍ୟାହ୍ନ ୨ଟା (ଭାରତୀୟ ସମୟ ରାତି ୧୧.୩୦)ରେ ଟ୍ରମ୍ପଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ସେ ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳୁ ଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଚାରି ରାଉଣ୍ଡ ଗୁଳିମାଡ଼ ହୋଇଥିଲେ ମଧ୍ୟ ଟ୍ରମ୍ପ ସୁରକ୍ଷିତ ଅଛନ୍ତି, ତାଙ୍କ ଦେହରେ କୌଣସି ଗୁଳି ବାଜି ନାହିଁ ।

ଘଟଣା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କୁ କାବୁ କରାଯାଇଛି । ଅଭିଯୁକ୍ତ ଜଣକ ୫୮ ବର୍ଷୀୟ ରିୟାନ ୱେସଲି ରୌଥ ବୋଲି ଜଣାପଡିଛି । କାହିଁକି ସେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହୋଇନାହାନ୍ତି । ଗୁଳିମାଡ଼ର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ଆମେରିକା ତଦନ୍ତକାରୀ ସଂସ୍ଥା କହିଛି ।

ତେବେ ଅଭିଯୁକ୍ତ ୱେସଲି ଟ୍ରମ୍ପଙ୍କୁ AK-୪୭ ଷ୍ଟାଇଲର ବନ୍ଧୁକରେ ଆକ୍ରମଣ କରିଥିବା କୁହାଯାଉଛି । ସେ ମାତ୍ର ୨୭୫-୪୫୦ ମିଟର ଦୂରରେ ଥାଇ ଟ୍ରମ୍ପଙ୍କୁ ଆକ୍ରମଣ କରିଥିଲେ ।

ଆଗକୁ ଆମେରିକା ନିର୍ବାଚନ ରହିଛି । ଟ୍ରମ୍ପ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଛନ୍ତି । ପୂର୍ବରୁ ମଧ୍ୟ ଜୁଲାଇ ୧୩ରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପଙ୍କୁ ଗୁଳିମାଡ଼ କରାଯାଇଥିଲା । ଏଥିରେ ଗୋଟିଏ ରାଉଣ୍ଡ ଗୁଳି ତାଙ୍କ କାନରେ ବାଜିଥିଲା ।  ଟ୍ରମ୍ପ ବର୍ତ୍ତି ଯାଇଥିଲେ ମଧ୍ୟ ରାଲିରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ ଦୁଇ ଜଣ ଆହତ ହୋଇଥିଲେ । ତେବେ ଟ୍ରମ୍ପଙ୍କ ଉପରେ ବାରମ୍ବାର ଆକ୍ରମଣ ରାଜନୈତିକ ହିଂସା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ତଦନ୍ତ ସାପେକ୍ଷ ।