Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଏକ ବିରାଟ ମିଳିତ ରେଳ ଆନ୍ଦୋଳନର ପଦଧ୍ୱନି

ଅତାବିରା: ବରଗଡ ଓ ବଲାଙ୍ଗୀର ଜିଲ୍ଲା ରେଳ ଉପଭୋକ୍ତା ସଂଘର ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ତା.୨୫.୪.୨୩ ଦିନ ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୬୦ ବର୍ଷ ପୁରୁଣା ସମ୍ବଲପୁର-ଟିଟିଲାଗଡ ସେକ୍ସନ କ୍ରମାଗତ ଭାବେ ରେଳବିଭାଗଦ୍ୱାରା ଉପେକ୍ଷିତ ହେଉଥିବାରୁ ସଦସ୍ୟମାନେ କ୍ଷୋଭପ୍ରକାଶ କରିଥିଲେ। ବାରମ୍ବାର ଦାବି ସତ୍ତ୍ୱେ ଏହି ଲାଇନରେ ସକାଳୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ କୌଣସି ଟ୍ରେନ ସୁବିଧା ନାହିଁ ତଥା ଦେଶର ରାଜଧାନୀ ଦିଲ୍ଲୀକୁ କୌଣସି ସିଧାସଳଖ ଟ୍ରେନ ବ୍ୟବସ୍ଥା ନାହିଁ। ରେଳଲାଇନ ଦୋହରୀକରଣ ପରେ ଏହି ଦାବିଗୁଡିକ ପୂରଣ କରାଯାଇପାରିବ ବୋଲି ପୂର୍ବରୁ ରେଳ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇ ଆସୁଥିଲେ ମଧ୍ୟ ଏବେ ଅନ୍ୟ ବାହାନା ଶୁଣାଉଛନ୍ତି।
ଏବେ ପ୍ରଥମ ପର୍ଯ୍ୟାୟରେ, ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗୀର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି କିମ୍ବା ବଲାଙ୍ଗୀରରୁ ସକାଳୁ ଏକ ନୂତନ ଟ୍ରେନ ଚଳାଇ ଲୋକଙ୍କୁ ସୁବିଧା ଯୋଗାଇ ଦେବାପାଇଁ ଶେଷ ପନ୍ଥା (ଆନ୍ଦୋଳନ)କୁ ଓହ୍ଲାଇବାକୁ ସଦସ୍ୟମାନେ ସର୍ବସମ୍ମତି କ୍ରମେ ଉକ୍ତ ବୈଠକରେ ନିଷ୍ପତ୍ତି ନେଲେ।
ପ୍ରଥମେ, ଭୁବନେଶ୍ୱରସ୍ଥ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦେବା ସହ ରେଳବାଇକୁ ଏକ ସୁଯୋଗ ଦେବାପାଇଁ ସ୍ଥିର କରାଯାଇଛି। ସେଥିରେ ସଫଳ ନ ହେଲେ ବରଗଡ ଓ ବଲାଙ୍ଗିର ରେଳଷ୍ଟେସନରେ ରେଳରୋକୋ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରିରହିବ ବୋଲି ଚରମ ନିଷ୍ପତ୍ତି ନିଆଯାଇଛି।
ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରଗଡ ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଦୀପ ଦେବତା, ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ସମ୍ପାଦକ କମଳ ଯୋଷୀ, ଯୁଗ୍ମ ସମ୍ପାଦକ କିଶୋର କୁମାର ରଥ ଏବଂ ବରିଷ୍ଠ ସଦସ୍ୟ ଲକି ମିରୱାନି ଓ ଉଦ୍ଧବ ବେହେରା ତଥା ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମଶ୍ର, ସମ୍ପାଦକ ଦିବାକର ହୋତା, କୋଷାଧକ୍ଷ ଅଶୋକ ଚାନ୍ଦ, କାର୍ଯ୍ୟକାରୀ ସଦସ୍ୟ ଯୁଧିଷ୍ଠିର ମିଶ୍ର, ମନ ପୁରୋହିତ, ହିତେଶ ସାହୁ ଓ ନାରାୟଣ ପାଢୀ ଏବଂ ପରାମର୍ଶଦାତା ପ୍ରଭାକର ମିଶ୍ର ଓ ଧର୍ମବ୍ରତ ରଥ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ