ଗଣେଶ ବିସର୍ଜନ ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ


ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଜଗନ୍ନାଥପୁର ଗାଁରେ ଗଣେଶ ଭସାଣ ବେଳେ ଗଲା ଜଣେ ଯୁବକଙ୍କ ଜୀବନ । ଗଣେଶ ବିସର୍ଜନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମ୍ୟତ ଯୁବକ ହେଲେ ପବିତ୍ର ସାହୁ । ଆହତ ମନୋଜ ପ୍ରଧାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତିରେ ଗାଁର ପିଲାମାନେ ଡିଜେ ବଜାଇ ଗଣେଶ ବିସର୍ଜନ କରୁଥିଲେ । ଡିଜେ ଗାଡ଼ି ଯିବା ଲାଗି ଜଣେ ଯୁବକ ବାଡ଼ିରେ ରାସ୍ତା ଉପରେ ଯାଇଥିବା ବିଦ୍ୟୁତ ତାରକୁ ଟେକୁଥିଲା । ଏହି ସମୟରେ ବିଦ୍ୟୁତ ତାରଟି ଛିଣ୍ଡି ପବିତ୍ର ଓ ମୋନଜଙ୍କ ଉପରେ ପଡ଼ିଯାଇଥିଲା ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭାଟକୁମରଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପବିତ୍ରଙ୍କୁ ମୃତ ଘୋଷଣା କରିଥିଲେ । ମନୋଜଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁରୁଷୋତ୍ତମପୁର ପୋଲିସ୍ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।