ଝରଣା ପାଣିରେ ଭାସିଗଲେ ୫ ଡାକ୍ତରୀ ଛାତ୍ରଛାତ୍ରୀ, ଦୁଇ ମୃତ, ଜଣେ ଏବେ ବି ନିଖୋଜ


ମାଲକାନଗିରି: ଝରଣାରେ ହଠାତ ମାଡ଼ି ଆସିଲା ଭୟଙ୍କର ପାଣି । ଏହି ସମୟରେ ଝରଣା କୂଳରେ ବସି ଗପସପ କରୁଥିବା ୫ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭସାଇ ନେଲା । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣଙ୍କ ମୃତଦେହ ଜବତ କରାଯାଇଛି । ଏବେ ବି ଜଣେ ଛାତ୍ରୀ ନିଖୋଜ ଅଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ଖୋଜାଖୋଜି ଜାରି ରହିଛି । ଏମିତି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଥିବା ଜଳ ତରଙ୍ଗିନୀ ଝରଣା ନିକଟରେ ଏହି ଅଘଟଣ ଘଟିଛି ।

ଗତକାଲି ସନ୍ଧ୍ୟାରେ ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଝରଣା ନିକଟରେ ବସି ଗପସପ କରୁଥିଲେ । ଏହି ସମୟରେ ହଠାତ୍ ଝରଣା ପାଣି ମାଡ଼ି ଆସିଥିଲା । ୪ ଜଣ ଛାତ୍ରୀ ଓ ଜଣେ ଡାକ୍ତରୀ ଛାତ୍ର ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଜଣେ ଡାକ୍ତରୀ ଛାତ୍ର ଓ ଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ବହୁ ଖୋଜାଖୋଜି ପରେ ଅନ୍ୟ ୨ ଜଣ ଛାତ୍ରୀଙ୍କର ମୃତଦେହ ମିଳିଥିଲା । ହେଲେ ଏବେ ବି ଜଣେ ଡାକ୍ତରୀ ଛାତ୍ରୀ ନିଖୋଜ ଅଛନ୍ତି । 

ରାତିରେ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରାଯାଇଥିଲା । ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳେ ଉଦ୍ଧାରକାରୀ ଦଳ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରୁଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଏଲୁର ମେଡିକାଲ କଲଜେର ବୋଲି ଜଣାଯାଇଛି ।