Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲମ୍ବଡୁଙ୍ଗୁରି ଜଙ୍ଗଲରେ ନିଆରା ଭାବରେ ପୁଓ ଜିଉଁନ୍ତିଆ ଉତ୍ସବ ପାଳିତ

ସମ୍ବଲପୁର: ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆଜି ପୂର୍ବାହ୍ନରେ ବୁଢ଼ାରଜା ବନ ସଂରକ୍ଷଣ ସମିତି ଏବଂ ଜଙ୍ଗଲ ବିଭାଗ ସଦର ରେଞ୍ଜ ପକ୍ଷରୁ ସ୍ଥାନୀୟ ସୌରଭ ନଗର ମାଁ ମଙ୍ଗଳା ମନ୍ଦିର ନିକଟସ୍ଥ ଲମ୍ବଡୁଙ୍ଗୁରି ଜଙ୍ଗଲରେ ବୃକ୍ଷ ମାନଙ୍କ ଦୀର୍ଘ ଜୀବନ, ସୁରକ୍ଷା ଓ ମଙ୍ଗଳ କାମନା କରି ମହିଳା ମାନେ ନିଆରା ଭାବରେ ପୁଓ ଜିଉଁନ୍ତିଆ ଉତ୍ସବ ପାଳନ କରିଛନ୍ତି | ପୁଓ ଜିଉଁନ୍ତିଆ ହେଉଛି ଆମ ପଶ୍ଚିମ ଓଡ଼ିଶା ସଂସ୍କୃତିର ଏକ ମୁଖ୍ୟ ପର୍ବ, ଯେଉଁଥିରେ ମାଁ ମାନେ ପୁଅଝିଅ ମାନଙ୍କର ଦୀର୍ଘ ଜୀବନ ଓ ସର୍ବ ମଙ୍ଗଳ କାମନା କରି ଉପବାସ ଓ ପୂଜାର୍ଚ୍ଚନା କରି ଥାଆନ୍ତି |
ପ୍ରକୃତିବନ୍ଧୁ ମେଘୁ ମୁଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୁଓ ଜିଉଁନ୍ତିଆ ଉତ୍ସବରେ ବିଶିଷ୍ଟ ପରିବେଶବିଦ୍, ସମାଜସେବୀ, ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | ଚାଷୀନେତା ଶ୍ରୀଯୁକ୍ତ ରାମ ସାଗର ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ | ବନପାଳ ଶ୍ରୀମତୀ ଜୀତା ଶତପଥି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ | ଶ୍ରୀଯୁକ୍ତ ନାରାୟଣ ଚକ୍ରବର୍ତ୍ତୀ ପୂଜକ ଭାବରେ ପୂଜାର୍ଚ୍ଚନା ଦାୟୀତ୍ୱ ତୁଲାଇଥିଲେ |
ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ଓ ସଂସ୍କୃତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ନିଜ ଉଦ୍’ବୋଧନରେ କହିଲେ ଯେ – ବିଶ୍ୱରେ ପଞ୍ଚତତ୍ତ୍ୱ ବୃକ୍ଷ ଜଗତ ବିନା ଆମ ଜୀବ ଜଗତର ଅବସ୍ଥିତି ସମ୍ଭବ ନୁହେଁ | ଆମ୍ଭ ମାନଙ୍କ ସୁସ୍ଥ ଜୀବନ ସୁସ୍ଥ ପରିବେଶ ଉପରେ ନିର୍ଭର କରୁଥିବାରୁ ବୃକ୍ଷ ମାନଙ୍କ ସୁରକ୍ଷା, ଜଙ୍ଗଲର ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଆମ୍ଭେମାନେ ସମସ୍ତେ ସଂକଳ୍ପ ବଦ୍ଧ ହୋଇ କାର୍ଯ୍ୟ କରିବା ଉଚିତ | ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ପରିବେଶ ସୁରକ୍ଷା ସମ୍ପର୍କୀୟ କେତେକ ସଂସ୍କୃତ ଶ୍ଳୋକ ଆବୃତ୍ତି କରି ସେସବୁର ସରଳ ଅର୍ଥ ସମସ୍ତଙ୍କୁ ବୁଝାଇଥିଲେ | ମୁଖ୍ୟବକ୍ତା ଶ୍ରୀଯୁକ୍ତ ରାମ ସାଗର ସାହୁ ପୁଅ ଜିଉଁନ୍ତିଆ ପର୍ବର ମହତ୍ତ୍ୱ ବୁଝାଇବା ସହ ମାଁ ମାନେ ବୃକ୍ଷ ମାନଙ୍କୁ ପୁଅ ଜିଉଁନ୍ତିଆ କରିବା ବୃକ୍ଷ ମାନଙ୍କ ପ୍ରତି ସେମାନଙ୍କ ସ୍ନେହ ମମତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛି ବୋଲି କହିଥିଲେ |
ପୁଅ ଜିଉଁନ୍ତିଆ ଅବସରରେ “ମାଁ ଙ୍କ ପାଇଁ ଗଛଟିଏ” ଅଭିଯାନରେ ବନ ସଂରକ୍ଷଣ ସମିତି ପକ୍ଷରୁ ବିଭିନ୍ନ ବୃକ୍ଷଚାରା ରୋପଣ କରା ଯାଇଥିଲା |
ଏହି ଉତ୍ସବରେ ସୌରଭ ନଗର ଅଞ୍ଚଳର ଶ୍ରୀମତୀ ପ୍ରେମଶିଳା ନାୟକ, ଶ୍ରୀମତୀ ମିନାକ୍ଷୀ ଲେଙ୍କା, ଶ୍ରୀମତୀ ପୁଷ୍ପା ପାଲ, ଶ୍ରୀମତୀ ପୂର୍ଣ୍ଣିମା ମଣ୍ଡଳ, ପଦ୍ମିନୀ ସାହୁ, ନୀଳାଞ୍ଚଳ ପ୍ରଧାନ, କାମିନୀ ବାଗ, ସଞ୍ଜୀବ ମେହେର, ଶ୍ରୀଯୁକ୍ତ କରୁଣାକର ନାୟକ, ଲକ୍ଷ୍ମୀ ବାରୋଇ, ଅଞ୍ଜନା ବାରୋଇ, ସୁସ୍ମିତା ପାଇକ, ସୁସୁମା ସରକାର, ସମାରୀ ଠେଲା, ପାର୍ବତୀ ବାଗ, ସବିତା ନିଖଣ୍ଡିଆ ପ୍ରମୁଖ ବହୁ ସଂଖ୍ୟାରେ ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତି ସମ୍ମିଳିତ ହୋଇ ଏହି ଉତ୍ସବ ପାଳନ କରିଥିଲେ |
ମହିଳା ମାନେ ସମସ୍ତେ ଘଣ୍ଟି ଘଣ୍ଟା ବାଦନ କରି, ହୁଳହୁଳି ଦେଇ ବୃକ୍ଷ ମାନଙ୍କୁ ଦୁବ ଫୁଲ ଅକ୍ଷତ ଦୀପ ଧୂପ ଦ୍ୱାରା ପୂଜାର୍ଚ୍ଚନା କରିଥିଲେ | ଶେଷରେ ଶ୍ରୀମତୀ ପ୍ରେମଶୀଳା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ସୁନ୍ଦର ପରିବେଶ ମଧ୍ୟରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ