ଟ୍ୟାଙ୍କର ଧକ୍କାରେ ମାଟିରେ ମିଶିଲା ଶନି ମନ୍ଦିର


ବଲାଙ୍ଗୀର: ଗାନ୍ଧିନଗର ରାସ୍ତା ପାର୍ଶ୍ୱରେ ଥିବା ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ମନ୍ଦିରକୁ ଦେଲା ଜୋଦାର ଧକ୍କା । ଫଳରେ ମନ୍ଦିରଟି ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇ ଯାଇଥିବା ବେଳେ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି ।

ଦୀର୍ଘ ଦିନ ହେବ ବଲାଙ୍ଗୀର ବାଇପାସ୍‌ କାମ ଚାଲିଥିବା ବେଳେ ଭାରିଯାନ ବଜାର ମଧ୍ୟ ଦେଇ ଯାତାୟତ କରୁଛି । ରାତି ୧୨ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଗାନ୍ଧିନଗର ସହର ମଧ୍ୟରେ ଭାରିଯାନ ଚଳାଚଳ କରିଥାଏ । ଆଜି ଭୋର ସମୟରେ ଟ୍ୟାଙ୍କରଟି ବଜାର ମଧ୍ୟରେ ଯାଉଥିବା ବେଳେ କୌଣସି କାରଣ ବଶତଃ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ବସିଥିଲେ । ଏହାପରେ ଦ୍ରୁତ ଗତିରେ ଥିବା ଗାଡ଼ିଟି ନିକଟରେ ଥିବା ଶନି ମନ୍ଦିରକୁ ଧକ୍କା ଦେଇଥିଲା । ଫଳରେ ମନ୍ଦିର ସମେତ ବିଗ୍ରହ ବି ମାଟିରେ ମିଶି ଯାଇଛନ୍ତି ।

ଏହି ଦୁର୍ଘଟଣା ପରେ ଡ୍ରାଇଭର ଜଣକ ଗାଡ଼ି ଭିତରେ ଫସି ରହିଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ତାଙ୍କୁ ଗାଡ଼ି ଭିତରୁ ବାହର କରିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ଶନି ମନ୍ଦିର ଭାଙ୍ଗିରୁଜି ଯାଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି ।