ବ୍ଲକ ସ୍ତରୀୟ ପରବ ପ୍ରସ୍ତୁତି ବୈଠକରେ ଉଦଯାପନୀ ଉତ୍ସବ ଦେଓମାଳି ରେ ହେବା ନେଇ ପ୍ରସ୍ତାବ ପାରିତ


ପଟ୍ଟାଙ୍ଗି୦୬/୧୧କୋରାପୁଟ ଜିଲ୍ଲାରେ ହେବାକୁ ଥିବା ଭାଇଚାରା ପରବ ଉତ୍ସବ କୁ ନେଇ ସମସ୍ତ ବ୍ଲକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ଉକ୍ତ ଉତ୍ସବ ଯେପରି ବ୍ଲକ ଓ ପଞ୍ଚାୟତ ସ୍ତରରେ ହୋଇ ପାରିବ ସେନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ । ଏହିପରି କାର୍ଯ୍ୟକ୍ରମ କୁନେଇ ମଙ୍ଗଳବାର ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିଲା ପ୍ରସ୍ତୁତି ବୈଠକ । ଉକ୍ତ ବୈଠକରେ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ଉପାଧ୍ୟକ୍ଷ ତ୍ରିନାଥ କଟା , ସାଂସଦ ପ୍ରତିନିଧି ଶୁକ୍ରା ଖରା , ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା , ପୁର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି , ଜୋନ୍ ୦୧ ଜିଲ୍ଲା ପରିଷଦ ସଭ୍ୟା ଟିକାଇ ଗେମେଲ୍ , ଜୋନ୍ ୦୨ ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା , ପୁର୍ବତନ ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଓ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ବ୍ଲକର ସମସ୍ତ ସରପଞ୍ଚ , ବ୍ଲକ ସ୍ତରୀୟ ସମସ୍ତ ସରକାରୀ ଅଧିକାରୀ ଏବଂ ବୁଧିଜୀବି ଉପସ୍ଥିତ ରହି ନିଜ ନିଜସ୍ୱ ମତାମତ ଦେଇଥିଲେ । ଏହି ସମୟରେ ବୈଠକରେ ଚଳିତ ମାସ ୧୫ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରୀୟ ପରବ ଉତ୍ସବ ସାରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିବା ପ୍ରସ୍ତାବ ଉଠିଥିଲା । ଉକ୍ତ ପ୍ରସ୍ତାବ କୁ ଦୃଷ୍ଟିରେ ରଖି ଉପସ୍ଥିତ ସରପଞ୍ଚ ନିଜ ନିଜ ପଞ୍ଚାୟତ ରେ ଅଳ୍ପ ବହୁତ କରି ପରବ ପାଳନ କରିବା ନିମନ୍ତେ ମତ ପ୍ରକାଶ କରିଥିବା ସହ ପଞ୍ଚାୟତ ସ୍ତରରୁ ଯେପରି ପ୍ରତିଯୋଗି ମାନେ ବ୍ଲକ ସ୍ତରୀୟ ପରବ କୁ ଆସିବେ ସେନେଇ ସହମତି ପ୍ରକାଶ କରିଥିଲେ । ସେହିପରି ୨୫ ତାରିଖ ସୁଦ୍ଧା ବ୍ଲକ ସ୍ତରୀୟ ପରବ ସାରିବା ପାଇଁ ଜିଲ୍ଲା ସ୍ତରରେ ନିର୍ଦ୍ଦେଶ ରହିଥିବା ବେଳେ ଉକ୍ତ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୨୨ ଓ ୨୩ ଦୁଇଦିନ ସ୍ଥାନୀୟ ଜନସାଧାରଣ ଓ ପ୍ରତିଯୋଗି ଙ୍କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପରବ ପାଳନ କରିବା ନିମନ୍ତେ ବିଡ଼ିଓ ପଟ୍ଟନାୟକ ମତ ପ୍ରକାଶ କରିଥିଲେ । ଏଥି ସହିତ ବ୍ଲକ ସ୍ତରୀୟ ପରବ ଉଦଘାଟନୀ ଉତ୍ସବ ସ୍ଥାନୀୟ ମିନି ଷ୍ଟାଡିୟମରେ ହେବା ସହ ଉଦଯାପନୀ ଉତ୍ସବ ଦେଓମାଳି ଉତ୍ସବ ନାମରେ ଓଡ଼ିଶାର ସର୍ବ ବୃହତ୍ତମ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ରେ କରିବା ନେଇ ବିଡ଼ିଓ ପଟ୍ଟନାୟକ ପ୍ରସ୍ତାବ ରଖିଥିଲେ । ଉକ୍ତ ପ୍ରସ୍ତାବ ଉପସ୍ଥିତ ସମସ୍ତ ସରପଞ୍ଚ ଏବଂ ଅନ୍ୟ ଅତିଥି ଗଣ ଏହା ସ୍ୱାଗତ ଯୋଗ୍ୟ ପ୍ରସ୍ତାବ ବୋଲି ମତ ପ୍ରକାଶ କରି ସମର୍ଥନ କରିଥିଲେ । ଉଦଯାପନୀ ଉତ୍ସବ ଉକ୍ତ ପର୍ଯ୍ୟଟନ ସ୍ଥଳୀ ରେ ହେବା ସହ ବ୍ଲକ ସ୍ତରୀୟ ପରବ ରେ ଜିଲ୍ଲା ସ୍ତରୀୟ ପରବ କୁ କୃତିତ୍ୱ ହୋଇଥିବା ସମସ୍ତ ପ୍ରତିଯୋଗି ଙ୍କୁ ଦେଓମାଳି ପରବ ବାର୍ଷିକ ଉତ୍ସବ ରେ ମୁଖ୍ୟମନ୍ତ୍ରୀ ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରିବା ପାଇଁ ବ୍ୟବସ୍ଥା କରାଯିବ ଏବଂ ଗ୍ରାମ ଦେବୀ ମାଁ ଗାଙ୍ଗମାଁ ମନ୍ଦିର ଠାରୁ ପରବ ମଶାଲ କୁ ଏକ ମୋଟର ସାଇକେଲ ରାଲି ମାଧ୍ୟମରେ ବାହାର କରି ଦେଓମାଳି ପର୍ଯ୍ୟଟନ ସ୍ଥଳୀ କୁ ନେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ପଟ୍ଟନାୟକ ପ୍ରସ୍ତାବ ରଖିଥିଲେ । ଉକ୍ତ ପ୍ରସ୍ତାବ କୁ ସମସ୍ତେ ତାଳି ମାରି ପାରିତ କରିଥିଲେ ଶେଷରେ ଦୁଇଦିନିଆ ବ୍ଲକ ସ୍ତରୀୟ ପରବ ପାଇଁ ବିଭିନ୍ନ କମିଟି ଗଠନ କରା ଯାଇଥିଲା । ଏଠାରେ ସୂଚନା ଥାଉକି ୧୯୯୪ ମସିହାରେ ପ୍ରଥମେ ପଟ୍ଟାଙ୍ଗି ବ୍ଲକରୁ ହିଁ  ଡଙ୍ଗର ନାମରେ ପରବ ଆରମ୍ଭ ହୋଇଥିବା ବେଳେ ୨୯ ବର୍ଷ ହେଲା ଏହା ପାଳନ ହୋଇ ଆସୁଛି । ପରବ ର ମୁଳ ଲକ୍ଷ୍ୟ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଯେପରି ଭାଇଚାରା ରହିବ ଏହା ମୂଳ ଲକ୍ଷ୍ୟ ବୋଲି ପୂର୍ବତନ ବିଧାୟକ ପାଙ୍ଗି ପ୍ରକାଶ କରିଥିଲେ ।