ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ହଟିବ ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’ । ଏହି ଶବ୍ଦର ସ୍ଥାନ ନେବ ‘ଆଂଶିକ ଅଦାଳତ କାର୍ଯ୍ୟ ଦିବସ’ । ନିଜ ନିୟମରେ ସଂଶୋଧନ କରି ସୁପ୍ରିମକୋର୍ଟ ପକ୍ଷରୁ ଏପରି ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ନିୟମର ସଂଶୋଧନ କରାଯାଇ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।
ସୁପ୍ରିମକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଅଦାଲତର ଆଶିଂକ କାର୍ଯ୍ୟ ଦିବସର ସମୟ ସୀମା ଓ ଛୁଟିର ସଂଖ୍ୟା ପ୍ରଧାନ ବିଚାରପତି ସ୍ଥିର କରିବେ । ତେବେ ରବିବାରକୁ ଛାଡ଼ି ଏହି ସଂଖ୍ୟା ୯୫ରୁ ଯେପରି ଅଧିକ ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ପୂର୍ବରୁ ଏହି ସଂଖ୍ୟା ୧୦୩ ଥିଲା ।
ଏବେ ଗ୍ରୀଷ୍ମକାଳୀନ ଅବକାଶ ଛୁଟିକୁ ସୁପ୍ରିମକୋର୍ଟ କ୍ୟାଲେଣ୍ଡରରୁ ହଟାଇ ଦିଆଯାଇଛି । ଚଳିତବର୍ଷ ପ୍ରକାଶ ପାଇଥିବା ସୁପ୍ରିମକୋର୍ଟ କ୍ୟାଲେଣ୍ଡର (୨୦୨୫)ରେ ଅବକାଶକାଳୀନ ଛୁଟି ଶବ୍ଦକୁ ହଟାଇ ଦିଆଯାଇଛି । ଏହା ପରିବର୍ତ୍ତେ ଆଶିଂକ ଅଦାଲତ କାର୍ଯ୍ୟ ଦିବସ ଆସନ୍ତା ବର୍ଷ ୨୬ ମେ’ରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ଶେଷ ହେବ ।
ସବୁ ବର୍ଷ ମେ’-ଜୁନ୍ ମାସରେ ସୁପ୍ରିମକୋର୍ଟରେ ସାତ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଗ୍ରୀଷ୍ମକାଳୀନ ଅବକାଶ ହୋଇଥାଏ । ସେହିପରି ଡିସେମ୍ବର ମାସରେ ପ୍ରବଳ ଶୀତ ସମୟରେ ବି ଛୁଟି ହୋଇଥାଏ । କିନ୍ତୁ ତାହା ମଧ୍ୟରେ ଅବକାଶକାଳୀନ ବେଞ୍ଚ ବସିଥାଏ । ଉକ୍ତ ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥାନ୍ତି ।
ଏହି ଛୁଟି ସମୟରେ ଜଜମାନେ ପରିବାର ସହ ବିଦେଶ ଯାଇ ଛୁଟି କାଟୁଥିବା କୁହାଯାଉଥିଲା । ଏପରିକି କୋର୍ଟରେ ବିଭିନ୍ନ ମାମଲା ପଡ଼ି ରହିଥିବା ବେଳେ ବିଚାରପତିମାନେ ବିଦେଶରେ ମଜାମସ୍ତି କରୁଥିବା ଅଭିଯୋଗ ହେଉଥିଲା ।
କିନ୍ତୁ ଏଥିରେ ସ୍ପଷ୍ଟୋକ୍ତି ଦେବାକୁ ଯାଇ ପ୍ରଧାନ ବିଚାରପତି କହିଥିଲେ, ଉକ୍ତ ଛୁଟି ସମୟରେ ବିଚାରପତିମାନେ ବାହାରକୁ ଯାଇ ଛୁଟି କାଟି ନଥାନ୍ତି । ଉକ୍ତ ସମୟର ଉପଯୋଗ କରି ସେମାନେ ବିଭିନ୍ନ ମାମଲାର ଚୂଡ଼ାନ୍ତ ରାୟକୁ ସବିଶେଷ ଭାବେ ଲେଖିଥାନ୍ତି । ଏଥିସହ ଅବକାଶକାଳୀନ ଛୁଟି ସମୟରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ନିମନ୍ତେ ପ୍ରଧାନ ବିଚାରପତି ଅବକାଶକାଳୀନ ପୀଠ ଗଠନ କରିଥାନ୍ତି । ଏହି ଛୁଟି ସମୟରେ ବିଚାରପତିମାନେ ନିଜ କାମ ପ୍ରତି ସମର୍ପିତ ରହିଥାନ୍ତି । ଏପରିକି ବିଚାରପତିମାନେ ସାପ୍ତାହିକ ଛୁଟି ଦିନରେ ବି କାମ କରିଥାନ୍ତି ବୋଲି ବି ସେ କହିଛନ୍ତି ।