ଡିଭାଇଡରରେ ପିଟି ହେଲା ବସ୍, ଅଳ୍ପକେ ବର୍ତ୍ତିଲେ ୫୩ ଯାତ୍ରୀ


ବାଲେଶ୍ବର: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୩ ବସଯାତ୍ରୀ । ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା । ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଆଜି ସକାଳେ ବସଟି ଯାତ୍ରୀମାନଙ୍କୁ ନେଇ କୋଲକାତାରୁ ସୋର ଅଭିମୁଖେ ଆସୁଥିଲା । ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ ବସର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।