ସୋନପୁର: ବିବାହକୁ ମାତ୍ର ୬ ମାସ ବି ହୋଇନି, ହେଲେ ଯୌତୁକ ଜୁଇରେ ଚାଲିଗଲା ନବବଧୂଙ୍କ ଜୀବନ । ଝିଅକୁ ବିଷ ଦେଇ ଶ୍ବଶୁର ଘର ଲୋକେ ମାରି ଦେଇଥିବା ପରିବାର ଲୋକେ କରିଛନ୍ତି ଅଭିଯୋଗ । ଏମିତି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରେ । ମୃତ ମହିଳା ଜଣଙ୍କ ହେଲେ ଅଞ୍ଜଳି ମହାକୁଡ । ଏନେଇ ବିନିକା ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ମାଆ ।
ଅଭିଯୋଗ ଅନୁସାରେ, ଚରଦା ଗାଁର ନରେନ୍ଦ୍ର ପଧାନ ଓ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ଗାଁର ଅଞ୍ଜଳିଙ୍କୁ ୬ ମାସ ହେବ ବିବାହ କରିଥିଲେ । ବିବାହାର କିଛିଦିନ ପରେ ନରେନ୍ଦ୍ର ଭାଉଜଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏଥିସହ ଭାଉଜଙ୍କ କଥାରେ ପଡି ଅଞ୍ଜଳିଙ୍କୁ ବାପଘରୁ ୩ ଭରି ସୁନା ଅଳଙ୍କାର ସହ ୨ ଲକ୍ଷ ଟଙ୍କା ଆଣିବା ପାଇଁ କହିଥିଲେ । ଏଥିପାଇଁ ନିର୍ଯାତନା ମଧ୍ୟ ଦେଉଥିଲେ ବୋଲି ଅଞ୍ଜଳିଙ୍କ ମାଆ ଅଭିଯୋଗ ଆଣିଛନ୍ତି ।
ଯୌତୁକ ପାଇଁ ଅଞ୍ଜଳିଙ୍କୁ ଶାଶୁଘର ଲୋକେ ଯୋଜନାବଦ୍ଧ ଭାବେ ବିଷ ପିଆଇ ଦେଇଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଅଞ୍ଜଳିଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଛି । ଝିଅକୁ ଯୋଜନାବଦ୍ଧ ଭାବେ ବିଷ ପିଆଇ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଞ୍ଜଳିଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ବିନିକା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।