ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ


ସୋନପୁର: ସରକାର ବଦଳିବା ପରେ ଫୁଲ ଆକ୍ଟିଭ ମୋଡ଼ରେ ଭିଜିଲାନ୍ସ ବିଭାଗ । ପ୍ରତିଦିନ କାହାର ନାହାର ଘରେ ପଶୁଛି ଆଉ ପୁଳା ପୁଳା ବାହାର କରୁଛି । ଖାଲି ସେତିକି ନୁହେଁ, ଲାଞ୍ଚୁଆ ବାବୁଙ୍କୁ ଧରି ଜେଲର ଚାରିକାନ୍ଥ ଭିତରକୁ ପଠାଉଛି । ଯାହାକୁ ନେଇ ଲାଞ୍ଚଖୋର ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । କେତେ ବେଳେ ଯେ ତାଙ୍କ ପାଳି ପଡ଼ିଯିବ ସେହି ଚିନ୍ତାରେ ଦିନ ହଜିଯାଇଛି । ଏମିତି କ୍ରମରେ ଆଜି ଜଣେ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ ଟିମ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

ସୁରେଶଙ୍କ ସୋନପୁର ସ୍ଥିତ ଭଡ଼ାଘର, କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ସୋନପୁର ଓ ବରଗଡ଼ର ୧୧ଟି ସ୍ଥାନରେ ଏହି ରେଡ୍‌ କରାଯାଇଛି ।

ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଛି । ଚଢ଼ାଉ ବେଳେ ପୁଳା ପୁଳା ସୁନା ଅଳଙ୍କାର ଓ  ଜମିବାଡ଼ି କାଗଜପତ୍ର ଭିଜିଲାନ୍ସ ଜବତ କରିଥିବା ଜଣାଯାଇଛି ।