ଭବାନୀପାଟଣା, ୧୬/୧୨
(ଜଗନ୍ନାଥ ନାଏକ) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ତୃତୀୟ ବର୍ଷର ଛାତ୍ରୀ ତଥା ଏନ୍.ଏସ୍.ଏସ୍ ସ୍ଵେଚ୍ଛାସେବୀ ଶିବାନୀ ବାଗ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ସଫଳତା ଆଣି ଦେଇଛନ୍ତି। ସେ ଆସନ୍ତା ଜାନୁୟାରୀ ୨୨ ତାରିଖ ଦିନ ଦିଲ୍ଲୀର କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହେବାକୁ ଯାଉଥିବା ଜାତୀୟ ପରେଡ଼ରେ ଭାଗନେଇ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଭବାନୀପାଟଣାକୁ ପ୍ରତିନିଧିତ୍ଵ କରିବେ। ସୂଚନାଯୋଗ୍ୟ ଯେ, ସେ ପ୍ରଥମେ ମହାବିଦ୍ୟାଳୟ ସ୍ତରୀୟ, ତାପରେ ବିଶ୍ୱବିଦ୍ୟାଳୟ ସ୍ତରରେ ଚୟନ ହୋଇ ରାଉରକେଲାଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚୟନ ଶିବିରରେ ଯୋଗଦେଇଥିଲେ। ଶିବାନୀ ବାଗ ୨୦୦ ଜଣ ଛାତ୍ରୀ ଛାତ୍ରଙ୍କ ମଧ୍ୟରୁ ମାତ୍ର ୫୨ ଜଣ ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ଚୟନ ହୋଇ ଅସାମର ଗୌହାଟୀଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଚୟନ ଶିବିରରେ ଅଂଶଗ୍ରହଣ କରିଥିଲେ ଏବଂ ସେଠାରୁ ସେ ଅନ୍ତିମ ଚୟନ ପାଇଁ ମନୋନୀତ ହୋଇଥିଲେ। ଶିବାନୀକୁ ମିଶାଇ ମୋଟ ଆଠଜଣ ବିଭିନ୍ନ ବିଶ୍ୱବିଦ୍ୟାଳୟର ଏନ୍.ଏସ୍.ଏସ୍ ସ୍ଵେଚ୍ଛାସେବୀ ଓଡ଼ିଶାକୁ ପ୍ରତିନିଧିତ୍ଵ କରିବାପାଇଁ ଆସନ୍ତା ଜାନୁୟାରୀ ୧ ତାରିଖରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଅଭ୍ୟାସ ପ୍ରକ୍ରିୟାରେ ଯୋଗଦେବେ। ଏହି ଶିବିରରେ ମୋଟ ୨୦୦ଜଣ ସର୍ବଭାରତୀୟ ସ୍ତରୀୟ ଏନ୍.ଏସ୍.ଏସ୍ ସ୍ଵେଚ୍ଛାସେବୀ ଯୋଗଦେଇ ଅଭ୍ୟାସ କାର୍ଯ୍ୟ କରିବା ସହିତ ଆସନ୍ତା ଜାନୁୟାରୀ ୨୬ ତାରିଖରେ କର୍ତ୍ତବ୍ୟ ପଥ ପରେଡ଼ରେ ଭାଗନେବେ। ଏହି ସଫଳତା ପାଇଁ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତ୍ରିଲୋଚନ ଜେନା, ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ଼.ରାଧାରାଣୀ ନାୟକ, ଏନ୍.ଏସ୍.ଏସ୍ ବ୍ୟୁରୋ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକ ଡ଼. ଚିତ୍ତରଞ୍ଜନ ଖୁଣ୍ଟିଆ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଶୁଭେଚ୍ଛା ଜଣାଇଛନ୍ତି।
ଦିଲ୍ଲୀ କର୍ତ୍ତବ୍ୟ ପଥରେ ପରେଡ଼ କରିବେସରକାରୀ ମହିଳା ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ ଛାତ୍ରୀ
