ଜବଲପୁର: ଟ୍ରେନରେ ଯିବାକୁ ଟିକେଟ କାଟିବାକୁ ପାଖରେ ନଥିଲା ଟଙ୍କା । ଧରାପଡ଼ିଯିବା ଭୟରେ ଟ୍ରେନ ତଳେ ଲୁଚି ୨୫୦ କିମି ଅତିକ୍ରମ କଲେ ଯୁବକ । ଟ୍ରେନ୍ ବଗି ତଳ ଓ ଚକା ମଝିରେ ରହି ସେ ଏହି ଦୂରତା ଅତିକ୍ରମ କରିଛନ୍ତି । ଜୀବନ ଚାଲିଯିବାର ଭୟ ଥିଲେ ବି ଟଙ୍କା ନଥିବା ଓ ଗନ୍ତବ୍ୟ ସ୍ଥଳରେ ନିହାତି ପହଞ୍ଚିବା ଆବଶ୍ୟତା କାରଣରୁ ସେ ଏମିତି ବିପଦକୁ ଆପଣାଇ ନେଇଥିବା ଜଣାପଡିଛି ।
ମଧ୍ୟପ୍ରଦେଶର ଇଟାରସିରୁ ଜବଲପୁର ପର୍ଯ୍ୟନ୍ତ ଦୂରତାକୁ ଯୁବକଜଣକ ଏପରି ଭାବେ ଅତିକ୍ରମ କରିଛନ୍ତି। ଟ୍ରେନ୍ଟି ଜବଲପୁର ଷ୍ଟେସନରେ ନିକଟରେ ପହଞ୍ଚିବା ପରେ ଘଟଣା ଜଣାପଡିଥିଲା । ଟ୍ରେନ୍ଟି ଷ୍ଟେସନରେ ପହଞ୍ଚିବା ପରେ ରେଳ କର୍ମଚାରୀ ଏହାର ଯାଞ୍ଚ କରୁଥିଲେ । ଏହି ସମୟରେ ବଗି ତଳେ ଜଣେ ଯୁବକ ଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଟ୍ରେନରୁ ଯୁବକଙ୍କୁ ବାହାରକୁ ଅଣାଯାଇଥିଲା । ପଚରାଉଚରା ପରେ ଟିକେଟ କାଟିବାକୁ ପାଖରେ ଟଙ୍କା ନ ଥିବାରୁ ଏପରି କରିଥିବା ଯୁବକ ଜଣକ କହିଛନ୍ତି ।